ଚିକେନ ତରକାରୀ ପାଇଁ ହତ୍ୟା ,ଅଭିଯୁକ୍ତ ଗିରଫ

0

(ପ୍ରିୟଦର୍ଶନୀ ସ୍ୱାଇଁ)ଭୁବନେଶ୍ୱର: ଠିକାଦାର ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ବାଲିଅନ୍ତା ଥାନା ଅଧୀନ ନଖରା ଅଞ୍ଚଳରେ ଠିକାଦାର ଅରୁଣ କୁମାର ଦାସଙ୍କ ହତ୍ୟାକାରୀକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ପ୍ରଦୀପ ଓରଫ ଚିକୂୁ । ପୋଲିସ ଚିକୁ ନିକଟରୁ ରକ୍ତଲଗା ବେଲଚା,ଲୁହାପାଇପ ଓ ସାର୍ଟ ଜବତ କରିଛି । ଆଜି ପୋଲିସ ଚିକୁକୁ କୋର୍ଟ ଚାଲାଣ କରିଥିଲା । ଜାମିନ ଖାରଜ ହେବାପରେ ତାକୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଥାନା ଅଧୀନ ଭଟ୍ଟବଗା ଗ୍ରାମର ଯୁବକ ହେଉଛି ପ୍ରଦୀପ ଓରଫ ଚିକୁ । ସେ ରଙ୍ଗ କାମ କରିବା ପାଇଁ ଭୁବନେଶ୍ୱର ଆସିଥିଲା । ବାଲିଅନ୍ତା ଥାନା ଅଧୀନ ନଖରାରେ ରଙ୍ଗ ଠିକାଦାର ଅରୁଣ କୁମାର ଦାସଙ୍କୁ ଭେଟିଥିଲା ଚିକୁ । କିଛି ଦିନ କାମ କଲା ପରେ ଅରୁଣ ତାକୁ ର୍ଦୁବ୍ୟବହାର କରିବା ସହ ବାକି ପଇସା ଦେଉନଥିଲେ । ହତ୍ୟାକାଣ୍ଡ ଘଟିବାର ୨ଦିନ ପୁର୍ବରୁ ଚିକୁର ଦେହ ଅସୁସ୍ଥ ହୋଇ ପଡ଼ିଥିଲା । ସେ ଦୁର୍ବଳତା ଅନୁଭବ କରିବାରୁ ଚିକେନ ଖାଇବାକୁ ମନସ୍ଥକରି ରୁମକୁ ଚିକେନ ଆଣିଥିଲା । ଦେହ ଖରାପ ହେତୁ ଅରୁଣଙ୍କୁ କହିଥିଲା ରୋଷେଇ କରିଦେବା ପାଇଁ । ଅରୁଣ ମଦ ନିଶାରେ ରୋଷେଇ କରିବା ସହିତ ସବୁତକ ଚିକେନ ତରକାରୀ ଖାଇ ଦେଇଥିଲେ । ଚିକୁ ବାହାରୁ ଆସି ଏହା ଦେଖି କ୍ରୋଧିତ ହୋଇ ବେଲଚାରେ ଆକ୍ରମଣ କରିଥିଲା । ଏହା ପରେ ଏକ ଲୁହା ପାଇପରେ ମୁହଁକୁ ଛେଚି ଛେଚି କଦର୍ଯ୍ୟ କରିଦେଇଥିଲା । ୨ସପ୍ତାହ ତଳେ ମୋବାଇଲ ଫୋନ ଅନ କରିବାରୁ ପୋଲିସ ସୁରାକ ପାଇଥିଲା ।