ତହସିଲ ଦୁର୍ନୀତିର ପର୍ଦ୍ଦାଫାସ ପରେ ସାମାଜିକ କର୍ମୀଙ୍କୁ ହତ୍ୟା ଧମକ

0

ସୂର୍ଯ୍ୟକାନ୍ତ ବେହେରା /ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ହୋଇଥିବା ଜମିପଟ୍ଟା ଦୁର୍ନୀତିର ପର୍ଦାଫାସ କରିବା ମହଙ୍ଗା ପଡିଲା ସମାଜସେବୀ ଶରତ ଚନ୍ଦ୍ର ବୁରୁଦାଙ୍କୁ । ଏବେ ତାଙ୍କୁ ମିଳୁଛି ହତ୍ୟା ଧମକ । ଏ ନେଇ ବୁରୁଦା ଥାନାରେ ଏତଲା ଦେବା ସହ ନିଜର ସୁରକ୍ଷା ଲୋଡ଼ିଛନ୍ତି। ଏହି ଜମି ପଟ୍ଟା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି।
ସୂଚନ।ଯୋଗ୍ୟ ଯେ , ଗତ ୧ତାରିଖ ଦିନ ବୁରୁଦା ମାଲକାନଗିରିରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଜମିପଟ୍ଟା ଦୁର୍ନୀତି ଘଟଣାରେ ସମ୍ପୃକ୍ତ କାଲିମେଳା ତହସିଲଦାରଙ୍କୁ ହଟାଇବା ପାଇଁ ଦାବି କରିଥିଲେ। ଏ ସମ୍ପର୍କରେ ଲୋକାୟୁକ୍ତ, ଭିଜିଲାନ୍ସ ବିଭାଗକୁ ଅବଗତ କରାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏହାପରେ ତାଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସିଥିବା ସେ କହିଛନ୍ତି। ଏପରିକି ତାଙ୍କ ପତ୍ନୀଙ୍କୁ ମଧ୍ୟ ଧମକ ମିଳିଥିବା ଥାନାରେ ଏତଲା ଦେଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସେ ରହୁଥିବା ହୋଟେଲରେ ବଳପୂର୍ବକ କିଛି ଦୁର୍ବୃତ୍ତ ପଶି ତାଙ୍କୁ ଖୋଜିଥିଲେ । ହୋଟେଲର କର୍ମଚାରୀଙ୍କୁ ମଧ୍ୟ ଧମକଚମକ ଦେଇଥିଲେ। ଲାଞ୍ଚ ନେଇ ଏହି ଘଟଣାକୁ ଆଗକୁ ଆଉ ନ ବଢ଼ାଇବା ପାଇଁ ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିବା ପରେ ଶ୍ରୀବୁରୁଦାଙ୍କ ପତ୍ନୀ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ବୁଝାସୁଝା କରିବା ପରେ ପତ୍ନୀ ଠିକ ବୋଲି ଶ୍ରୀବୁରୁଦା କହିଛନ୍ତି। ସେହିପରି ଏତଲାରେ ଶିକ୍ଷକ ରଘୁନାଥ ନାୟକ ଏବଂ ବରୁଣ ଡୁରୁକାଙ୍କ ନାମକୁ ସେ ଲେଖିଛନ୍ତି। ଏହି ଦୁଇ ଜଣ ହିଁ ତାଙ୍କୁ ଧମକ ଦେଇଥିବା ପ୍ରକାଶ କରିଛନ୍ତି। ଏ ନେଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କୁ ପଚରାଯିବାରୁ ଏତଲା ମିଳିବା ପରେ ମାମଲା ରୁଜୁ କରାଯାଇଥିବା ପ୍ରକାଶ କରିଛନ୍ତି