(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ନୟାଗଡ଼ରୁ ବିଜେଡ଼ି ତାର ପ୍ରଚାର ଆରମ୍ଭ କରିଛି । ନିର୍ବାଚନ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ଭରୁ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ନୟାଗଡରୁ ଆରମ୍ଭ ହେଲା ବିଜେଡିର ପ୍ରଚାର ଅଭିଯାନ । ୨୧ ରୁ ୨୧ ଲୋକସଭା ଆସନରେ ବିଜେଡି କ୍ଲିନ୍ ସୁଇପ କରିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି କେନ୍ଦ୍ରରେ ଏଥର କୌଣସି ଦଳ ବହୁମତ ପାଇବେ ନାହିଁ । ତେଣୁ କେନ୍ଦ୍ରରେ ସରକାର ଗଠନ କରିବାରେ ଓଡିଶାର ପ୍ରମୁଖ ଭୂମିକା ରହିବ ।
ସେ କହିଛନ୍ତି ୨୦୧୪ ନିର୍ବାଚନ ସମୟରେ, ବିଜେପିର ଇସ୍ତାହାରରେ ପ୍ରଥମ ପ୍ରସଙ୍ଗ ଥିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଏହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଲା । ଓଡିଶାବାସୀଙ୍କୁ ବିଜେପି ଧୋକା ଦେଇଛି ବୋଲି ନବୀନ କହିଛନ୍ତି । ଓଡିଶାର ହକ୍ ପାଇଁ ରାଜ୍ୟ ବିଜେପି କେବେ ହେଲେ ଲଢିନାହିଁ କିମ୍ବା ଆଗକୁ ଲଢିପାରିବ ନାହିଁ । କାହିଁକି ନା ରାଜ୍ୟ ବିଜେପିର ରିମୋଟ୍ ରହିଛି କେନ୍ଦ୍ର ପାଖରେ । କିନ୍ତୁ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ । ଏବଂ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡିଆଙ୍କ ପାଖରେ ରହିଛି ।