ଆଜି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ହୋଇଛି ଦକ୍ଷିଣ ମୋଡ଼

ଆସନ୍ତାକାଲି ନବମୀର ସନ୍ଧ୍ୟା ଦର୍ଶନରେ ଜନ୍ମବେଦୀରେ ବର୍ଷର ଶେଷ ଦର୍ଶନ ଦେବେ ଶ୍ରୀଜୀଉ

0

ପୁରୀ/ସଞ୍ଜୟ ମହାପାତ୍ର : ସରି ଆସିଲାଣି ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳଖେଳା। ଆସନ୍ତାକାଲି ନବମୀର ସନ୍ଧ୍ୟା ଦର୍ଶନରେ ଜନ୍ମବେଦୀରେ ବର୍ଷର ଶେଷ ଦର୍ଶନ ଦେବେ ଶ୍ରୀଜୀଉ । ଗତ ଶନିବାର ହେରାପଞ୍ଚମୀ ନୀତି ପରେ ଗତକାଲି ଦକ୍ଷୀଣମୋଡ଼ ନେଇଥିଲେ ଦେବଦଳନ ଓ ତାଳଧ୍ଵଜ। ଗତକାଲି ଠାରୁ ଅଧାରେ ଅଟକିଥିବା ନନ୍ଦିଘୋଷ ଆଜି ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ପହଁଚିଛି। ଏବେ ନାକଚଣା ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ । ଶ୍ରୀମନ୍ଦିର ମୁହାଁ ତିନିରଥ ଏବେ ମହାପ୍ରଭୁଙ୍କୁ ବାହୁଡେଇ ନେବାପାଇଁ ପ୍ରସ୍ତୁତ । ସେପଟେ ଆଜିର ଦିନରେ ବର୍ଷାରେ ଭିଜିଭିଜି ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଆଡ଼ପ ଦର୍ଶନର ଦିବ୍ୟ ଅନୁଭୂତି ନେଇ ଖୁସିବ୍ୟକ୍ତ କରିଛନ୍ତି ଦର୍ଶନାର୍ଥୀ । ନୀତିକାନ୍ତି ସଅଳ କରିବାକୁ ଗର୍ଭଗୃହ ଦର୍ଶନକୁ ବନ୍ଦ କରାଯାଇଥିବା ବେଳେ ଭିତରକାଠ ଓ ବହାରକାଠ ନିକଟରୁ ଆଡ଼ପ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସେପଟେ ୨୮ରେ ବାହୁଡା ଥିବାରୁ ଆଜିଠୁଁ ନିତି ସୃଙ୍ଖଳିତ କରାଯିବ। ଗର୍ଭଗୃହ ଦର୍ଶନ ଏବେଠାରୁ ବନ୍ଦ କରାଯାଇଥିବା ବେଳେ ଆସନ୍ତାକାଲି ସଂନ୍ଧ୍ୟା ଦର୍ଶନକୁ ଅପରାହ୍ନ ୫ଟାରୁ ବନ୍ଦ କରାଯିବ। ଏହା ଶାସ୍ତ୍ର ବିରୋଧୀ କହିଛନ୍ତି ବୁଦ୍ଧିଜୀବି।

ସେପଟେ ସନ୍ଧ୍ୟା ଦର୍ଶନ ବନ୍ଦ ହେବା ପରେ ସନ୍ଧ୍ୟା ଧୁପ ଓ ଆଳତୀ ହେବ । ତା ପରେ ବଡସିଂହାର ଭୋଗ ବଢି ପହୁଡ ଆଳତୀ କରାଯିବ । ତା ପରେ ଦଇତାପତିମାନେ ସିଂହାସନ ଉପରକୁ ଚଢି ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ କାର୍ଯ୍ୟ କରିବେ ।ଏହା ସହ କୋଠ ସୁଆଁସିଆ ସେବକ ସିଂହାସନକୁ ଚାରବନ୍ଧା କାର୍ଯ୍ୟ କରିବେ । ତା ପରେ କୁସୁମି ଲାଗି ହେବ । ସେପଟେ ବାହୁଡା ଦିନ ସକାଳୁ ସମସ୍ତ ନୀତି ସରି ଗୋପାଳବଲ୍ଲଭ ଓ ସକାଳ ଧୁପ ପରେ ସେନାପଟା ଲାଗି ଓ ଦିନ ୧୨ଟାରେ ପହଣ୍ଡି କରାଯିବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି । ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଦୁଇ ଦ୍ୱାରରେ ବନ୍ଧୁକ ଧାରୀ ପୁଲିସ ରହିବେ।ସ୍ପେଶାଲ ଟାକ୍ଟିକାଲ ୟୁନିଟକୁ ମଧ୍ୟ ମୁତୟନ କରାଯାଇଥିବା ବେଳେ ସିସିଟିଭି ବଳୟ ଭିତରେ ରହିଛି ଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ଦର୍ଶନ ପାଇଁ ସିଂହଦ୍ୱାର ଠାରୁ ବସଷ୍ଟାଣ୍ଡ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ପଟେ ଯାଇ ନାକଚଣା ଦ୍ୱାର ପଟେ ପ୍ରସ୍ଥାନ କରିବେ ।

ଆସନ୍ତାକାଲି ସକାଳ ୬ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ଆଡପ ମଣ୍ଡପରେ ଭକ୍ତଙ୍କ ସଂନ୍ଧ୍ୟା ଦର୍ଶନର ସମସ୍ତ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଏହି ସମୟ ମଧ୍ୟରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ରଥଯାତ୍ରା ଭଳି ସମାନ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଛନ୍ତି ପୁରୀ ଏସ୍ପି |