ବ୍ୟୁରୋ: ଘର,ଦ୍ୱାର,ରାସ୍ତାଘାଟ ସବୁଠି ପାଣି ଆଉ ପାଣି । ରାସ୍ତାରେ ଲହଡି ଭାଙ୍ଗୁଛି ପାଣିର ସୁଅ । ଖାଲି ରାସ୍ତା ନୁହଁ ଘର ଭିତରେ ବି ଛାତିଏ ଉଚ୍ଚର ପାଣି । ପାଣିରେ ଭାସୁଛି ଘରର ସମସ୍ତ ସାମଗ୍ରୀ । ଆଉ ରାସ୍ତାରେ ଗାଡି ସବୁ ଭାସିଲା ପରି ଦୃଶ୍ୟମାନ ହେଉଛି । ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ମହାରାଷ୍ଟ୍ରରେ । ମହାରାଷ୍ଟ୍ର ନାଗପୁରରେ ପ୍ରବଳ ଲଗାଣ ବର୍ଷା କାରଣରୁ ସହର ଜଳାର୍ଣ୍ଣବ ହୋଇଛି । ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି । ରାସ୍ତା ଉପରେ ପାଣି ଚାଲୁଛି । ଆଣ୍ଠୁଏ ପାଣିରେ ରାସ୍ତାରେ ଯାଉଛନ୍ତି ଲୋକେ । ରାସ୍ତା ପାର ହେବା ପାଇଁ ଦଉଡି ସାଜିଛି ଭରସା । ଦଉଡି ଧରି ଧାଡି ହୋଇ ଲୋକେ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ନଦୀ କୂଳିଆ ଲୋକେ ବର୍ଷା ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି । ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧା ର ସମୁଖୀନ୍ନ ହେଉଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ନାଗପୁର ବିମାନ ବନ୍ଦର ଅଞ୍ଚଳରେ ସକାଳ ୫ଟା ୩୦ ସୁଦ୍ଧା ୧୦୬ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ସକାଳୁ ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ଟ୍ରାଫି କ ସମସ୍ୟା ବି ସୃଷ୍ଟି ହୋଇଛି । ଭାରତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ନାଗପୁର, ଭଣ୍ଡାରା ଏବଂ ଗୋଣ୍ଡିଆ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ “ବଜ୍ରପାତ ସହିତ ପ୍ରବଳ ବର୍ଷା” ହେବାର ସମ୍ଭାବନା ରହିଛି । ଏହା ସହ ବଜ୍ରପାତ” ମଧ୍ୟ ହେବାର ସମ୍ଭାବନା ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ ଓ ଏସଡିଆରଏଫକୁ ଆଲର୍ଟରେ ରଖାଯାଇଛି ।