ନୂଆଦିଲ୍ଲୀ : ଆଜି କେରଳ ୱାୟନାଡ଼ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୈବି ଦୁର୍ବିପାକରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏହି ବିନାଶର ପ୍ରଧାନମନ୍ତ୍ରୀ ଏକ ବିମାନ ସର୍ଭେ କରିବେ। ଏହା ସହ ରିଲିଫ କ୍ୟାମ୍ପ ପରିଦର୍ଶନ କରି ପ୍ରଭାବିତ ଲୋକଙ୍କୁ ଭେଟିବା ବ୍ୟତୀତ ସେ ଡାକ୍ତରଖାନାରେ ଆହତ ଏବଂ ପୀଡିତଙ୍କ ପରିବାରକୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଆଜି ଦିନ ପ୍ରାୟ ୧୧ଟାରେ ମୋଦି କନ୍ନୁର୍ ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ୱାୟନାଡର ଭୁସ୍ଖଳନ ଅଞ୍ଚଳରେ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ପରେ ମଧ୍ୟାହ୍ନ ୧୨ଟା ପରେ ଭୁସ୍ଖଳନ ଦ୍ୱାରା ପ୍ରଭାବିତ ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁସ୍ଖଳନ ଅଞ୍ଚଳ ଗସ୍ତ କରିବା ପୂର୍ବରୁ ଗୃହ ମନ୍ତ୍ରାଳୟର ସଂଯୁକ୍ତ ସଚିବ ରାଜୀବ କୁମାରଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି।
୩୦ ଜୁଲାଇ ୨୦୨୪ରେ ପ୍ରବଳ ବର୍ଷା ହେତୁ କେରଳର ୱାୟନାଡ ଜିଲାରେ ଭୂସ୍ଖଳନ ଘଟିଥିଲା। ଏଠାରେ ୪୨୦ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ୧୫୦ଜଣ ନିଖୋଜ ଥିବା ସୂଚନା ମିଳିଛି। ଏଥିସହ ଅତିକମରେ ୭୨୩ ଜଣ ଆହତ ହୋଇଛନ୍ତି। ସେନା କର୍ମଚାରୀ, ଏସଓଜି ଅଧିକାରୀ ଏବଂ ଜଙ୍ଗଲ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ ସୁଜିପାରାସ୍ଥିତ ସୂର୍ଯ୍ୟୋଦୟ ଉପତ୍ୟକାର ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ କରୁଛନ୍ତି।