(ରିପୋର୍ଟସ ଟୁଡ଼େ) ଆସନ୍ତା ୧୫ରେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ।ନରେନ୍ଦ୍ର ମୋଦିଙ୍କ ଆସନ୍ତା ଓଡିଶା ଗସ୍ତ କାର୍ୟ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଖୋର୍ଦ୍ଧା, ବାରିପଦା ପରେ ଏବେ ଆସନ୍ତା ୧୬ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ୧୫ରେ ମୋଦି ବଲାଙ୍ଗୀର ଗସ୍ତରେ ଆସିବେ।ଏନେଇ ଭାଜପା ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂ ଦେଓ ରବିବାର ସୂଚନା ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାସହ ଏକ ଦଳୀୟ ସମାବେଶକୁ ଉଦ୍ବୋଧନ କରିବେ। କନକ କହିଛନ୍ତି ଯେ, ଦୀର୍ଘ ୧୯ ବର୍ଷ ଶାସନ କ୍ଷମତାରେ ଥିବା ସତ୍ତ୍ୱେ ରାଜ୍ୟରେ ଚାଷଜମି ଜଳସେଚିତ ହେବାରେ ବିଫଳ ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ପର୍ୟ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ସତ୍ତ୍ୱେ ଜଳସେଚନ ପାଇଁ ପ୍ରକଳ୍ପ ନିର୍ମାଣର ପ୍ରତିଶ୍ରୁତିକୁ ଶାସକ ଦଳ ଅଦ୍ୟାବଧି ପୂରଣ କରିନାହାନ୍ତି। ଏପରି କି ଗୋଟିଏ ଜଳସେଚନ ପ୍ରକଳ୍ପର ପୂର୍ଣ୍ଣାଙ୍ଗ କାର୍ୟ୍ୟକ୍ଷମ ମଧ୍ୟ ହୋଇପାରିଲା ନାହିଁ। ସେହିପରି ଓଡିଶାର ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ କୌଣସି ଆନ୍ତରିକତା ପ୍ରଦର୍ଶନ କଲେନାହିଁ। ଶିକ୍ଷକ, ଡାକ୍ତର ଅଭାବ କାରଣରୁ ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ଉତ୍କଟ ରୂପ ଧାରଣ କରିବା ସତ୍ତ୍ୱେ ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି କନକ ଅଭିଯୋଗ କରିଛନ୍ତି।