ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଆଗାମୀ ପ୍ରଧାନମନ୍ତ୍ରୀ । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି । ଆଜି ସନ୍ଧ୍ୟା ୭.୩୦ମିନିଟରେ ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।ତେବେ ଏହାପୂର୍ବରୁ ରାଷ୍ଟ୍ରପତି ୧୭ ତମ ଲୋକସଭା ଭଙ୍ଗ କରିଛନ୍ତି ।
ସୂଚନା ଅନୁସାରେ, ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ, ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ସମେତ ଜେଡିୟୁ ମୁଖ୍ୟ ନିତିଶ କୁମାର, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟ ସମସ୍ତ ସହଯୋଗୀ ଦଳର ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ବୁଧବାର ଅପରାହ୍ନରେ ଏନଡିଏର ଏହି ବୈଠକ ବସିଥିଲା। ସରକାର ଗଠନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ କେଉଁଦିନ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବେ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ। ଅନ୍ୟପଟେ ସହଯୋଗୀ ଦଳଗୁଡ଼ିକ ଏନଡିଏକୁ ସରକାର ଗଠନ କରିବାରେ ସମର୍ଥନ ଜଣାଇବାକୁ ଘୋଷଣା କରିଥିଲେ ହେଁ ପରବର୍ତ୍ତୀ ସମୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଉପରେ ସମସ୍ତଙ୍କ ନଜର ରହିପାରେ ବୋଲି ଆଲୋଚନା ହେଉଛି। ବିଶେଷ କରି ଟିଡିପି ଏବଂ ଜେଡିୟୁ ସରକାରକୁ ସମର୍ଥନ ବଦଳରେ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ଦାବି କରିପାରନ୍ତି ବୋଲି କୁହାଯାଉଛି।