(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକାର ମହାକାଶ ଏଜେନ୍ସି ନାସା ଭାରତର ଚନ୍ଦ୍ରଯାନ-୨ ମିଶନରେ ବିକ୍ରମ ଲ୍ୟାଣ୍ଡରକୁ ଖୋଜିବା ପାଇଁ ଇସ୍ରୋକୁ ସାହାଯ୍ୟ କରିବ । ଆସନ୍ତା ମଙ୍ଗଳବାର ଦିନ ଚନ୍ଦ୍ରମାର ସେହି ସ୍ଥାନ ଉପରେ ନାସାର ଅର୍ବିଟର ଊଡାଣ ଭରିବ ଯେଉଁଠାରେ ବିକ୍ରମ ଲ୍ୟାଣ୍ଡିଂ କରିଥିଲା । ଏଥିରେ ବିକ୍ରମ ସହ ସମ୍ପର୍କ ଯୋଡିବା ପାଇଁ ସଫଳତା ମିଳିବ ।
ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା । ଫଳରେ ଏହାର କିଛି ଅଂଶ ପ୍ରଭାବିତ ହୋଇଥିଲା । ନାସାର ଅର୍ବିଟରରେ ଲଗାଯାଇଥିବା ହାଇ ରିଜ୍ୟୋଲୁସନ କ୍ୟାମେରା ଆପୋଲୋ ୧୧ର ଫଟୋ ପଠାଇଥିଲା । ଏହି ଫଟୋ ଏତେ ସ୍ପଷ୍ଟ ଥିଲା ଯେଉଁଥିରେ ୪୦ ବର୍ଷ ପୂର୍ବରୁ ମନୁଷ୍ୟଙ୍କ ପାଦଚିହ୍ନ ମଧ୍ୟ ରହିଥିଲା । ନିକଟରେ ଏହି ବର୍ଷ କ୍ରାସ ହୋଇଥିବା ଇସ୍ରାଏଲ ସ୍ପେସକ୍ରାଫ୍ଟର ଫଟୋ ମଧ୍ୟ ନାସାର ଅର୍ବିଟର ଜାରି କରିଥିଲା । ସ୍ପେଶଫ୍ଲାଇଟ ନାଓ ନାସାର ଅର୍ବିଟର ବାବଦରେ କହିଛି ଯେ, ଏହା ସେପ୍ଟେମ୍ବର ୧୭ରେ ବିକ୍ରମ ଲ୍ୟାଣ୍ଡରର ସାଇଟ ଉପରେ ଉଡାଣ ଭରିବ । ନାସାର ନୀତି ଅନୁସାରେ ଏହାର ଡାଟା ସାର୍ବଜନୀନ ହୋଇଥାଏ । ଯାହା ସଂପୂର୍ଣ୍ଣ ସ୍ଥିତିର ବିଶ୍ଲେଷଣ କରିବାରେ ସହାୟକ ହେବ ।