ମଧ୍ୟପ୍ରଦେଶ:ମଧ୍ୟପ୍ରଦେଶର ମୁରେନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ପୂର୍ବତନ ଛାତ୍ର ଶିକ୍ଷକଙ୍କୁ ଗୁଳି ମାରିଛନ୍ତି। ଦୁଇଜଣ ବାଇକରେ ଆସି ଶିକ୍ଷକଙ୍କୁ ଗୁଳି ମାରିଛନ୍ତି । ଶିକ୍ଷକ ଜଣକ ଏକ କୋଚିଂ କ୍ଲାସ୍ ସଞ୍ଚାଳକ ବୋଲି ଜଣାପଡ଼ିଛି। ଏହି ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଗ୍ଵାଲିୟରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଶିକ୍ଷକଙ୍କୁ ଗୁଳିମାଡ଼ର ଘଟଣା ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। ଯେଉଁ ଦୁଇ ଛାତ୍ର ଏପରି କାଣ୍ଡ କରିଛନ୍ତି ସେମାନେ ଉକ୍ତ କୋଚିଂ କ୍ଲାସର ପୂର୍ବତନ ଛାତ୍ର ଥିଲେ ବୋଲି ପୋଲିସ କହିଛି।
ଘଟଣା ଘଟିଛି ମୁରେନାର ସିଭିଲ୍ ଲାଇନ୍ ଥାନା ଅଞ୍ଚଳରେ। ଏଠାରେ ଜୋରା ରୋଡରେ ଶିକ୍ଷକ ଜଣକ ଏକ କୋଚିଂ କ୍ଲାସ୍ ଚଳାନ୍ତି। ଶିକ୍ଷକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ , ଅଭିଯୁକ୍ତ ଦୁଇ ଛାତ୍ର ପ୍ରାୟ ୩ ବର୍ଷ ପୂର୍ବେ କୋଚିଂକୁ ପାଠ ପଢ଼ିବାକୁ ଆସୁଥିଲେ। କିନ୍ତୁ ଯେତେବେଳେ ସେମାନଙ୍କୁ ଫିସ୍ ମଗାଯାଇଥିଲା, ସେମାନେ ମନା କରିଦେଇଥିଲେ। ଫିସ୍ ନ ଦେବା କାରଣରୁ ସେମାନଙ୍କୁ କୋଚିଂରୁ ବାହାର କରି ଦିଆଯାଇଥିଲା।
#WATCH मध्य प्रदेश: मुरैना के ज़ोरा रोड क्षेत्र में फीस के मुद्दे को लेकर कोचिंग निदेशक को उसके पूर्व छात्रों ने कथित तौर पर गोली मारी। पुलिस मामले में जांच कर रही है।
(सोर्स: CCTV) pic.twitter.com/9NyeQqHJ6o
— ANI_HindiNews (@AHindinews) June 22, 2023
ଏବେ ୩ ବର୍ଷ ପରେ ଦୁଇ ଛାତ୍ର ବାଇକରେ ଆସି ଘଟଣାର ପ୍ରତିଶୋଧ ନେଇଛନ୍ତି। ପ୍ରଥମେ ସେମାନେ ଶିକ୍ଷକଙ୍କୁ କଥା ହେବା ପାଇଁ ଡାକିଥିଲେ। ଏହାରି ଭିତରେ ବାଇକ୍ ପଛରେ ବସିଥିବା ଛାତ୍ର ଶିକ୍ଷକଙ୍କୁ ଗୁଳି ମାରିଥିଲେ। ଘଟଣା ପରେ ଉଭୟେ ସେଠାରୁ ଫେରାର୍ ହୋଇଯାଇଥିଲେ। ପୋଲିସ କହିଛିନ୍ତି , ସିସିଟିଭି ଫୁଟେଜରେ ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ଏକ ପୋଲିସ ଟିମ୍ ଆଖାପାଖ ଅଞ୍ଚଳରେ ଖୋଜାଖୋଜି କରୁଛି।