(ମମତା ସାମଲ)ରିପୋର୍ଟସଟୁଡେ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏସ.ଜୟପାଳ ରେଡ୍ଡୀଙ୍କର ୭୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ମଧ୍ୟ ରାତ୍ରୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବିଗତ କିଛି ଦିନ ହେବ ରେଡ୍ଡୀ ଅସୁସ୍ଥ ଥିଲେ । ସ୍ଥାନୀୟ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ଶନିବାର ପୂର୍ବତନ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ତାଙ୍କୁ ଏଆଇଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସୁଦିନି ଜୟପାଳ ରେଡ୍ଡୀ ୧୯୪୨ ମସିହା ଜାନୁୟାରୀ ୧୬ରେ ବ୍ରିଟିଶ ରାଜତ୍ୱ କାଳରେ ହାଇଦ୍ରାବାଦ ରାଜ୍ୟର ମଦଗୁଲରେ ଜନ୍ମଗ୍ରହଣ କରିଥିଲେ, ଯାହାକି ଏବେ ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ । ଦୁଇ ପୁଅ ଓ ଏକମାତ୍ର ଝିଅ ବାପା ଜୟପାଳ ରେଡ୍ଡୀଙ୍କୁ ହରାଇ ଗଭୀର ଶୋକରେ ବୁଡ଼ିରହିଛନ୍ତି ।
ସେ ୨୦୦୯ ପଂଚଦଶ ଲୋକସଭା ନିର୍ବାଚରେ ଚେଭେଲା ଆସନରୁ ନିର୍ବାଚିତ ହୋଇ ସଂସଦ ପହଂଚିଥିଲେ । ମନମୋହନ ସିଂହଙ୍କ ସରକାରରେ ତାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବଦ୍ୟା ଓ ଭୂବିଜ୍ଞାନ ମନ୍ତ୍ରୀ ପଦ ମିଳିଥିଲା । ଏସ ଜୟପାଳ ରେଡ୍ଡୀଙ୍କ ନିଧନରେ ପରିବାର ଲୋକେ, ଆତ୍ମୀୟ ସ୍ୱଜନ ଭାଙ୍ଗିପଡ଼ିଥିବା ବେଳେ କଂଗ୍ରେସର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦଳୀୟ ସଂଗଠନକୁ ମଜବୁତ କରିବାରେ ଜୟପାଳ ରେଡ୍ଡୀଙ୍କର ସ୍ମରଣୀୟ ଭୂମିକା ଥିଲା ।