ଜୁଲାଇ ୯ ତାରିଖରେ ଦେଶବ୍ୟାପୀ ହେବ ବ୍ୟାଙ୍କ ଧର୍ମଘଟ

0

ଭୁବନେଶ୍ୱର-: ଜୁଲାଇ ୯ ତାରିଖରେ ଦେଶବ୍ୟାପୀ ହେବ ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କର କର୍ମଚାରୀ ଓ ଅଫିର୍ସ ସଂଘ ଏଆଇବିଇଏ, ବିଇଏଫ୍‌ଆଇ ଏବଂ ଏଆଇବିଓଏ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଏବଂ ଶତାଧିକ କ୍ଷେତ୍ରୀୟ ଫେଡେରେଶନଙ୍କ ମିଳିତ ମଞ୍ଚର ଜାତୀୟ କନଭେନଶନରେ ଏହି ଘୋଷଣା କରାଯାଇଛି । ୧୭ ଦଫା ଦାବି କରାଯାଇ ଏହି ଧର୍ମଘଟ ଡାକରା ଦିଆଯାଇଛି । ଆଉଟସୋର୍ସିଂ ଠିକା ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ, ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ବନ୍ଦ କରିବା, କେନ୍ଦ୍ର ସରକାରଙ୍କ କଳା ୪ ଶ୍ରମକୋଡର ବାତିଲ, ସମସ୍ତଙ୍କୁ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା ଦେବା, ସମାନ କାମକୁ ସମାନ ଦରମା, ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଖାଲିଥିବା ପଦବୀ ପୂରଣ, ସର୍ବନିମ୍ନ ମାସିକ ମଜୁରି ୨୬ ହଜାର ଟଙ୍କା ଦେବା, ପୁରୁଣା ପେନସନ ସ୍କିମର ପୁନଃ ପ୍ରଚଳନ ଆଦି ଦାବି କରିଛି ସଂଘ । ଏଥିସହ ବ୍ୟାଙ୍କର ସାଧାରଣ ଗ୍ରାହକଙ୍କ ଉପରୁ ସେବାକର ପ୍ରତ୍ୟାହାର, କର୍ପୋରେଟ୍‌ଙ୍କ ଖିଲାପୀ ଋଣର ଅସୁଲ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ବୀମା ପଲିସି ଉପରୁ ଜିଏସଟି ପ୍ରତ୍ୟାହାର ଆଦି ଦାବିରେ ଏହି ଧର୍ମଘଟରେ ଆହ୍ୱାନ ଦିଆଯାଇଛି ।