କାଠମାଣ୍ଡୁ: ନେପାଳରେ ପ୍ରକୃତିର ତାଣ୍ଡବ । ଭାରତର ଅନେକ ରାଜ୍ୟ ଏବେ ବି ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଥିବାବେଳେ ପଡୋଶୀ ରାଷ୍ଟ୍ର ନେପାଳରେ କିନ୍ତୁ ବର୍ଷା ଦାଉ ସାଜୁଛି । ଏଠାରେ ମୌସୁମୀ ଯୋଗୁଁ ଭୀଷଣ ବର୍ଷା ହେବା ଫଳରେ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ହୋଇଛି । ଫଳରେ ୫ଜଣଙ୍କର ମୃତ୍ୟୁ ହେଇଥିବାଳେ ୨୮ଜଣ ନିଖୋଜ ଥିବା ସୂଚନା ରହିଛି । ପୂର୍ବ ନେପାଳର ୫ ଜିଲ୍ଲାରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଭୂସ୍ଖଳନ ଯୋଗୁଁ ସ୍ଥିତି ଅତି ସାଂଘାତିକ ହୋଇଛି ।
କୋଶି ପ୍ରାନ୍ତର ତାପ୍ଲୋଜଙ୍ଗ, ପଞ୍ଚଥର, ସଂଖୁବାସଭା, ତେହରଥୁମ ଜିଲ୍ଲା ଅତିମାତ୍ରାରେ ପ୍ରଭାବିତ ହୋଇଛି । ରାସ୍ତାଘାଟ ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହାସହ ଅନେକ ସ୍ଥାନରେ ରାସ୍ତା, ଓ ବ୍ରିଜ୍ ନିଶ୍ଚିହ୍ନ ହୋଇଯାଇଛି ।