ଭୁବନେଶ୍ୱର(ରିପୋଟର୍ସ ଟୁଡେ);- ଆଇଏଏସ ସ୍ତରରେ ବଡ ଅଦଳବଦଳ । ବିଜେପି କ୍ଷମତାକୁ ଆସିବା ପରେ ବଡଧରଣ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ସବୁ ଶକ୍ତିଶାଳି ଅଫିସରଙ୍କୁ ଲୋକସେବା ଭବନରୁ ବିଦା କରାଯାଇଛି । ୨୦୦୭ ବ୍ୟାଚ୍ ଆଇଏଏସ୍ ସଚିନ ରାମଚନ୍ଦ୍ର ଯାଦବଙ୍କୁ ମଧ୍ୟ ସଚିବାଳୟ ବାହାରକୁ ବିଦା କରାଯାଇଛି । ଯାଦବ ପର୍ଯ୍ୟଟନ ବିଭାଗରେ ଦୀର୍ଘଦିନ ଧରି ରହିଥିଲେ । ତାଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ସମ୍ବଲପୁର ବଦଳି କରାଯାଇଛି । ଶ୍ରୀ ଯାଦବ ଏବେ ପର୍ଯ୍ୟଟନ ନିର୍ଦ୍ଦେଶକ ସହ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ସେହିପରି ବରିଷ୍ଠ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଜଙ୍ଗଲ ଓ ପରିବେଶ ବିଭାଗର ଦାୟିତ୍ୱ ନ୍ୟସ୍ତ କରାଯାଇଛି ।ଏହାସହିତ ଅଫିସର ଦେଓରଞ୍ଜନ ସିଂଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି ହୋଇଛନ୍ତି । ସେ ଏସଆରସି ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ । ଶ୍ରୀ ସିଂ ଏବେ ଇସ୍ପାତ ଓ ଖଣି ବିଭାଗର ସଚିବ ସମେତ ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ, ଓଏମଇସିଏଲ ଅଧ୍ୟକ୍ଷ, ଇଡ୍କୋ ଅଧ୍ୟକ୍ଷ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭଳି ଏକାଧିକ ଦାୟିତ୍ୱ ତୁଲାଉଥିଲେ ।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ୧୯୯୯ ବ୍ୟାଚ୍ ଆଇଏଏସ୍ ଏନବିଏସ୍ ରାଜପୁତଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ତାଙ୍କଠୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ କାଢ଼ି ନିଆଯାଇଛି । ସେହିପରି ପ୍ରଥମ ଥର ଲାଗି ୩ଟି ଯାକ ଡିଭିଜନର ଆରଡିସି ନିଯୁକ୍ତ କରିଛନ୍ତି ମୋହନ ମାଝି ସରକାର । ରୂପାରୋଶନ ସାହୁ ଦକ୍ଷିଣାଞ୍ଚଳ ଆରଡିସି, ସଚିନ ରାମଚନ୍ଦ୍ର ଯାଦବ ଉତରାଂଚଳ ଆରଡିସି ଓ ବି.ପରମେଶ୍ୱରନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ଦିଆଯାଇଛି ।
୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି ହୋଇଛି । ସେ ସାଧାରଣ ପ୍ରଶାସନ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମେତ ଓଡ଼ିଶା ଖଣି ନିଗମ, ଓଏମଇସିଏଲ ଅଧ୍ୟକ୍ଷ ଓ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ଶର୍ମା ଏବେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସହ ଇପିକଲ ଅଧ୍ୟକ୍ଷ ଏବଂ ଏମଏସଏମଇ ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ଅତିରିକ୍ତ ଭାବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ ।
୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛି । ଶ୍ରୀମତୀ ପାଢ଼ୀ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ତାଙ୍କଠୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ୱ କାଢ଼ି ନିଆଯାଇଛି । ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ୧୯୯୮ ବ୍ୟାଚ୍ ଆଇଏଏସ୍ ବିଶାଳ ଗଗନଙ୍କୁ ନୂଆଦିଲ୍ଲୀରେ ପ୍ରମୁଖ ଆବାସିକ କମିଶନର ଭାବେ ଅବସ୍ଥାପିତ କରାଯାଇଛି ।