ଜୁନ୍ ୧୨ ତାରିଖ ୨୦୨୪…. ପ୍ରାୟ ଅଢେଇ ଦଶନ୍ଧି ପରେ ଓଡିଶା ପାଇଥିଲା ନୂଆ ମୁଖ୍ୟମନ୍ତ୍ରୀ । ଗୋଟିଏ ପଟେ କ୍ଷମତାରୁ ଦୂରେଇ ଯାଉଥିଲେ ନବୀନ, ଆଉ ଅନ୍ୟପଟେ ନୂଆ ଆଶା, ନୂଆ ଭିଜନ୍ ଆଉ ନୂଆ ଓଡ଼ିଶା ଗଢିବାର ସ୍ୱପ୍ନ ନେଇ ଶପଥ ନେଉଥିଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡିଶା ଶାସନରେ ଏ ପଟ୍ଟ ପରିବର୍ତ୍ତନର ଅସଲ କାହାଣୀ କିନ୍ତୁ ଜୁନ୍ ୪ ତାରିଖରେ ଆରମ୍ବ ହୋଇଥିଲା । ସେଦିନ ଇଲେକ୍ସନର ରେଜଲ୍ଟ ଆସିଥିଲା ଆଉ ସମସ୍ତଙ୍କୁ ଚମକେଇ ଓଡ଼ିଶା ପଦ୍ମ ଫୁଟିଥିଲା । ଓଡିଶା ରାଜନୀତିର ସବୁଜ ରଙ୍ଗକୁ ଗେରୁଆରେ ବଦଳାଇଥିଲା ।
ପୂରିଲା ବର୍ଷେ ଜୁନ୍ ୧୨, ୨୦୨୪ ରୁ ଆଜି ଜୁନ୍ ୧୨, ୨୦୨୫ । ଏହା ଭିତରେ ମୋହନ ସରକାରକୁ ବର୍ଷେ ପୂର୍ତ୍ତି ହୋଇଛି । ଆଉ ପ୍ରଥମ କରି ଓଡ଼ିଶାରେ ବିଜେପି ସରକାର କରିଥିବା ବେଳେ ଆଜି ଏକ ବର୍ଷ ପୂର୍ଣ୍ଣ ହୋଇଛି । ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ, ଅନେକ ଯୋଜନା ବି ଲୋକଙ୍କୁ ଭେଟି ଦିଆଯାଇଛି । ଏହାରି ଭିତରେ ଏବେ ବି ଅନେକ ସ୍ୱପ୍ନ ସତ ହେବା ଅପେକ୍ଷାରେ ଅଛି ଓ ଅନେକ ପ୍ରତିଶ୍ରୁତି ବାସ୍ତବତା ସ୍ପର୍ଶ ପାଇବା ପାଇଁ ଚାହିଁରହିଛି । ଆଗକୁ ବାକି ୪ ବର୍ଷରେ ମୋହନ ସରକାର କେଉଁ କେଉଁ ପଦକ୍ଷେପ ନେଉଛନ୍ତି ତାହା ଅପେକ୍ଷାରେ ସାରା ଓଡିଶାବାସୀ ରହିଛନ୍ତି ।