ଶ୍ରୀମନ୍ଦିର ଭିତରେ ଅଭାବନୀୟ : ଦୁଇ ସେବାୟତ ହାତାହାତି

0

ପୁରୀ: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ହାତାହାତି ହେଇଛନ୍ତି । ହାତାହାତି ଘଟଣାରେ ଜଣେ ବରିଷ୍ଟ ସେବାୟତ ଆହତ ହୋଇଥିବା ଜଣାପଡିଛି ।  ଗୁରୁତର ହୋଇପଡ଼ିଥିବା ସେବାୟତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍‌ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ ହୋଇଥିଲେ। ମନ୍ଦିର ପୁଲିସ୍‌ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ଏ ନେଇ ସେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ। ପୁଲିସ୍‌ ୫ରୁ୬ ଜଣ ସେବାୟତଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଜଣାପଡ଼ି ନାହିଁ।