ନୟାଗଡ଼: ନୟାଗଡ଼ ଜିଲ୍ଲାରେ ପୁରପଲ୍ଲୀ ଠାରୁ ଆରମ୍ଭକରି ସଦର ମହକୁମାରେ ଉତ୍ସାହ ସହ ପାଳିତ ହୋଇଛି ୭୭ତମ ସ୍ଵାଧୀନତା ଦିବସ। ଜିଲ୍ଲା ପ୍ରଶାସନ ପକ୍ଷରୁ PTS ପଡିଆ ଠାରେ ଆୟୋଜିତ ୭୭ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ। ଆୟୋଜିତ ମହାସମାରୋହ ଉତ୍ସବରେ ନୟାଗଡ଼ SP ରାହୁଲ ଜୈନ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ସମେତ ଜିଲ୍ଲାର ବହୁ ଉଚ୍ଚ ଅଧିକାରୀ ଉପସ୍ଥିତ ରହିଥିଲେ। ଆୟୋଜିତ ଉତ୍ସବରେ ପୋଲିସ ବାହିନୀ ଏବଂ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ସମୂହ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶାତ୍ମବୋଧକ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ଜିଲ୍ଲାପାଳ ତ୍ରିନାଥ ଛକଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଏବଂ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।