ବ୍ୟୁରୋ-: ଓଡ଼ିଶାରେ ହେବ ଶକ୍ତି କରିଡ଼ର ଯାହା ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ । ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅପରାହ୍ନ ୧୧ଟା ସମୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ । ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ମାନେ ସ୍ବାଗତ କରିଥିଲେ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଓଡ଼ିଶାରେ ହେବାକୁ ଥିବା ଶକ୍ତି କରିଡ଼ର ମଧ୍ୟରେ ର ମା’ ତାରାତାରିଣୀ, ମା’ ବିରଜା, ମା’ ଉଗ୍ରତାରା, ମା’ ଭଗବତୀ, ମା’ ମଙ୍ଗଳା, ମା’ କାଳିଜାଇ, ମା’ ଭୈରବୀଙ୍କୁ ଯୋଡ଼ି ଏକ ଶକ୍ତି କରିଡ଼ର କରାଯିବ। ଜିଲ୍ଲା ସ୍ତରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମା’ ତାରାତାରିଣୀ ପୀଠର ଉନ୍ନତି ପାଇଁ ୮ କୋଟି ଟଙ୍କା, ତପ୍ତପାଣିର ବିକାଶ ପାଇଁ ୧୧ କୋଟି ଟଙ୍କା ସହ ମାଁ ନାରାୟଣୀଙ୍କ ପୀଠର ଉନ୍ନତି ନିମନ୍ତେ ମଧ୍ୟ ଟଙ୍କା ପ୍ରଦାନ କରାଯାଇଛି।
ସେହିକ୍ରମରେ ଜିଲ୍ଲାରେ ରହିଥିବା ସମସ୍ତ ପୀଠର ଉନ୍ନତି ନେଇ ଚଳିତ ବର୍ଷ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପର୍ଯ୍ୟଟନ ବିଭାଗ ଏହି ଜିଲ୍ଲାକୁ ପ୍ରଦାନ କରାଯାଇଛି । ଏହାବ୍ୟତୀତ ଶକ୍ତି କରିଡ଼ର ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବ । ପର୍ଯ୍ୟଟକ ଓ ସନାତନ ଧର୍ମର ଭକ୍ତ ମାନଙ୍କ ନିମନ୍ତେ ଏହି ଶକ୍ତି କରିଡ଼ରରେ ବଡ଼ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଶକ୍ତି କରିଡ଼ର ମାଧ୍ୟମରେ ଯେଉଁ ମାନେ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ଶକ୍ତି ଆରାଧକ ମାନେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ସମ୍ପର୍କରେ ଜାଣିବା ପୂଜା ଓ ଆରାଧନା କରିବାର ସୁଯୋଗ ପାଇପାରିବେ।