ଏସସିବି ମେଡିକାଲର ନୂଆ ରେକର୍ଡ
ଏସସିବି ମେଡିକାଲର ନୂଆ ରେକର୍ଡ , ଯୁବକଙ୍କ ଶ୍ୱାସନଳୀରୁ କଢ଼ାଯାଇଛି ଅଢ଼େଇ ସେଣ୍ଟିମିଟରର ଟ୍ୟୁମର
କଟକ:ଏସସିବି ମେଡିକାଲର ନୂଆ ରେକର୍ଡ । ଓଡିଶାରେ ଆଗରୁ କେବେ ଏପରି ହୋଇନଥିଲା । ଜଣେ ଯୁବକଙ୍କ ଶ୍ୱାସନଳୀରୁ କଢ଼ାଯାଇଛି ଅଢ଼େଇ ସେଣ୍ଟିମିଟରର ଟ୍ୟୁମର ।‘ଏକ୍ମୋ’ ମେସିନ୍ର ସଦୁପଯୋଗ କରି ଏକ ଜଟିଳ ଅସ୍ତ୍ରୋପଚାର ସଫଳ କରିଛନ୍ତି ଏସ୍ସିବି କାର୍ଡିଓ ଥୋରାସିସ୍ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍) ବିଭାଗର ଡାକ୍ତରମାନେ । ଦେବଗଡ଼ ବରକୋଟ ଅଞ୍ଚଳର ୨୧ ବର୍ଷୀୟ ରିଙ୍କୁ ଲୋହରା। ଗତ ୬ ମାସ ହେବ ତାଙ୍କର ସ୍ୱାଭାବିକ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା। ତାଙ୍କର ହଠାତ୍ ନିଃଶ୍ୱାସରେ ସମସ୍ୟା ଦେଖାଦେବାରୁ ବଲାଙ୍ଗିର ହସ୍ପିଟାଲରେ ପ୍ରଥମେ ଭର୍ତ୍ତି ହୋଇଥିଲେ । ସେଠାକାର ଡାକ୍ତର ତାଙ୍କୁୁ ଏସିବି ଯିବାକୁ ପରାମର୍ଶ ଦେଇଥିଲେ ।
ପରୀକ୍ଷାନିରୀକ୍ଷା କରିବାରୁ ତାଙ୍କ ଶ୍ୱାସନଳୀରେ ଟ୍ୟୁମର ଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ସିଟିଭିଏସ୍ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ୪ ଘଣ୍ଟାର ଅସ୍ତ୍ରୋପଚାର କରିଥିଲେ। ବିନା ଆନାସ୍ଥେସିଆରେ ଏହି ଅସ୍ତ୍ରୋପଚାର କରାଯାଇଛି।ଶ୍ୱାସନଳୀରୁ ଅଢ଼େଇ ସେଣ୍ଟିମିଟରର ଟ୍ୟୁମର କଢ଼ାଯାଇଥିବାବେଳେ ରିଙ୍କୁଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଛି ।ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଅସ୍ତ୍ରୋପଚାରରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ ଥାଟୋଇ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଦେବାଶିଷ ପାଢ଼ୀ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୁବ୍ରତ ନାୟକ, ରକ୍ତ ସଞ୍ଚାଳକ ସିଦ୍ଧାର୍ଥ ଏବଂ ନଗେଶ ସହଯୋଗ କରିଥିଲେ ।