ଭୁବନେଶ୍ୱର: ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଆସିପାରେ ନୂଆ ନିୟମ । ଦିନ ଓ ରାତି ପାଇଁ ଅଲଗା ଅଲଗା ଦର ନିର୍ଦ୍ଧାରଣ କରାଯିବ । ଅର୍ଥାତ ଦିନ ଅପେକ୍ଷା ରାତିରେ ବିଦ୍ୟୁତ ଶୁକ୍ଳ ସାମାନ୍ୟ ଅଧିକ ରହିବ । ଦିନ ବେଳା ବିଦ୍ୟୁତ ଶୁକ୍ଳ ୨୦ ପ୍ରତିଶତ କମ ରହିବ । ଏପରିକି ଦିନରେ ବିଭିନ୍ନ ସମୟ ପାଇଁ ବିଦ୍ୟୁତ ବିଲ ଭିନ୍ନ ଭିନ୍ନ ରହିବ । ଏହି ନିୟମ ୨୦୨୪ ଏପ୍ରିଲ ସୁଦ୍ଧା ଲାଗୁ ହୋଇପାରେ । ତେବେ ଅକ୍ଷୟ ଶକ୍ତିର ଉପେଯାଗ ବଢାଇବାକୁ କେନ୍ଦ୍ର ସରକାର ନେଇଛନ୍ତି ଏଭଳି ନିଷ୍ପତ୍ତି ।
ସବୁଠୁ ବଡ ଆଶା ହେଉଛି ଏହି ବ୍ୟବସ୍ଥା ଉଭୟ ଉପଭୋକ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପାଇଁ ଲାଭଦାୟକ ହେବ । ଏହି ବ୍ୟବସ୍ଥା ପାଇଁ ବିଦ୍ୟୁତ ଉପଭୋକ୍ତା ଅଧିକାରୀ ନିୟମାବଳୀ ୨୦୨୦ ରେ ସଂଶୋଧନ କରାଯାଇଛି । ନୂଆ କରି ଟିଓଡି ବା ଟାଇମ ଓ ଡେ’ ଶୁକ୍ଳ ବ୍ୟବସ୍ଥା ଆଣାଇଯାଇଛି । ଏଥିସହ ମିଟରିଂ ବ୍ୟସ୍ଥାକୁ ତର୍କ ସଂଗତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଟିଓଡି ଶୁକ୍ଳ ବ୍ୟବସ୍ଥା ଅଧିନରେ ବିଦ୍ୟୁତ ଉପଭୋକ୍ତା ଗୋଟିଏ ଦିନରେ ସବୁ ସମୟ ପାଇଁ ସମାନ ଦରରେ ବିଦ୍ୟୁତ ଶୁକ୍ଳ ପୈଠ କରିବା ବଦଳେ, ଦିନର ଭିନ୍ନ ଭିନ୍ନ ସମୟ ଲାଗି ଭିନ୍ନ ଦରରେ ବିଲ୍ ପୈଠ କରିବାରେ ସକ୍ଷମ ହେବେ ।
ପ୍ରାରମ୍ଭିକ ପର୍ୟ୍ୟାୟରେ ଅର୍ଥାତ ୨୦୨୪ ଏପ୍ରିଲ ପହିଲାରୁ ସର୍ବାଧିକ ୧୦ କିଲୋ ୱାଟ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଏବଂ ଶୀଳ୍ପ ସଂସ୍ଥା ଲାଗି ଏହି ବ୍ୟବସ୍ଥା ଲାଗୁ କରାଯିବ । ଏହାର ବର୍ଷକ ପରେ ଚାଷୀମାନଙ୍କୁ ବାଦ ଦେଇ ଅନ୍ୟ ସବୁ ଉପଭୋକ୍ତାଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ । ଦିନର ୮ ଘଂଟାକୁ ସୋଲାର ଆୱାର ଭାବେ ନିର୍ଦ୍ଧାରଣ କରାଯିବ । ସେହି ସମୟରେ ବିଦ୍ୟୁତ୍ ବିଲ ୧୦ରୁ ୨୦ ପ୍ରତିଶତ କମ ରହିବ । ଅନ୍ୟ ପକ୍ଷରେ ଅଧିକ ବିଦ୍ୟୁତ ଚାହିଦା ରହୁଥିବା ସମୟରେ ବିଦ୍ୟୁତ୍ ବିଲ ୧୦ରୁ ୨୦ ପ୍ରତିଶତ ଅଧିକ ରହିବ । ସ୍ମାର୍ଟ ମିଟର ସଂଯୋଗ ହେବା ପରେ ଟାଇମ ଅଫ ଡେ’ ବ୍ୟବସ୍ଥା ଲାଗୁ କରାଯିବ ।
ଟିଓଡି ବ୍ୟବସ୍ଥା ଉଭୟ ଉପଭୋକ୍ତା ଏବଂ ବିଦ୍ୟୁତ ବ୍ୟବସ୍ଥା ପାଇଁ ଲାଭକାରୀ ହେବ । ଅଧିକ ଚାହିଦା ଥିବା ସମୟ, ସୌର ଘଣ୍ଟା ଏବଂ ସ୍ୱାଭାବିକ ସମୟ ପାଇଁ ଅଲଗା ଅଲଗା ଶୁକ୍ଳ ଲାଗୁ କରିବାକୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ବ୍ୟବସ୍ଥାରେ ଗ୍ରାହକମାନେ ଅଧିକ ସଚେତନ ହୋଇ ନିଜର ବିଦ୍ୟୁତ ବିଲ କମ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହ । କିନ୍ତୁ ଓଡିଶାବାସୀ ଏହାର ଫାଇଦା ନେବାକୁ ହେଲେ ରାଜ୍ୟ ଶକ୍ତି ବିଭାଗ ଏହାକୁ ଲାଗୁ କାରିବା ମଧ୍ୟ ନିତାନ୍ତ ଆବଶ୍ୟକ , ଯାହା କି ଦିର୍ଘ୧୪ ବର୍ଷ ହେବ ରାଜ୍ୟ ବିଦ୍ୟୁତ ନିୟମକ ଆୟୋଗ କାରି ନାହିଁ।ତେବେ ଦେଖିବାକୁ ବାକି ରହିଲା ଏବେ ରାଜ୍ୟରେ ବିଦ୍ୟୁତ ବିଲ୍ ନେଇ ଚାଲୁରହିଥିବା ସମସ୍ୟାକୁ ଆଖିରେ ରଖି କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଏହି ବିଦ୍ୟୁତ ନିୟମକୁ ଲାଗୁ କରି ଗ୍ରାହକମାନଙ୍କୁ ଲାଭଦାୟକ କରଉଛନ୍ତି ନାଁ ନାହିଁ।