ହାତ ଯୋଡ଼ି କ୍ଷମା ମାଗିଲେ ନବଦମ୍ପତି ନୟନତାରା ଓ ବିଘ୍ନେଶ
ନିକଟରେ ବିବାହ କରି ଚର୍ଚ୍ଚାରେ ନବଦମ୍ପତି ନୟନତାରା ଓ ବିଘ୍ନେଶ।
(ମୁମ୍ବାଇ) : ନିକଟରେ ବିବାହ କରି ଚର୍ଚ୍ଚାରେ ନବଦମ୍ପତି ନୟନତାରା ଓ ବିଘ୍ନେଶ। ବିବାହ ପରଦିନଠୁ ହିଁ ଦୁହେଁ ବିବାଦ ଜାଲରେ ପଡିଯାଇଛନ୍ତି । ସେମାନଙ୍କ ବିରୋଧରେ ଜାରି ହୋଇଥିଲା ଆଇନଗତ ନୋଟିସ। ଆଉ ଏବେ ନିଜ ଭୁଲ୍ ପାଇଁ ଦୁହେଁ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଲିଗାଲ୍ ନୋଟିସ ପାଇବା ପରେ ଏହି ନବଦମ୍ପତି କ୍ଷମା ମାଗିଛନ୍ତି। ଭିଡିଓ ଜାରି କରି ବିଘ୍ନେଶ ଓ ନୟନତାରା ମନ୍ଦିର ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନେ କହିଛନ୍ତି, ‘ବିବାହ ପରେ ଘରକୁ ଯିବା ବଦଳରେ ଆମେ ତିରୁପତି ମନ୍ଦିର ଯାଇଥିଲୁ। ସେଠାରେ ଅନେକ ଲୋକ ଆମକୁ ଘେରି ଯାଇଥିଲେ। ସେମାନଙ୍କ ଠାରୁ ବର୍ତ୍ତିବା ପାଇଁ ଆମେ ଆଗକୁ ଚାଲିଯାଇଥିଲୁ। ଆମେ ଜାଣି ନଥିଲୁ ଯେ ଆମେ ଚପଲ ପିନ୍ଧି ସେହି ସ୍ଥାନକୁ ପ୍ରବେଶ କରିଯାଇଛୁ, ଯେଉଁଠାରେ ଏହାକୁ ନିଷେଧ କରାଯାଇଛି। ତେଣୁ ଅଜାଣତରେ କରିଥିବା ଭୁଲ୍ ପାଇଁ ଆମେ କ୍ଷମା ମାଗୁଛୁ। ଗତ ମାସରେ ଆମେ ୫ ଥର ତିରୁପତି ଯାଇଥିଲୁ। ସେଠାରେ ବିବାହ କରିବା ପାଇଁ ଆମେ ଯୋଜନା କରିଥିଲୁ।’
ସୂଚନାନୁଯାୟୀ , ଜୁନ୍ ୯ ତାରିଖରେ ସାଉଥ ସୁନ୍ଦରୀ ନୟନତାରା ତାଙ୍କ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ ତଥା ନିର୍ଦ୍ଦେଶକ ବିଘ୍ନେଶଙ୍କୁ ବିବାହ କରିଥିଲେ। ବିବାହ ପରଦିନ ଦୁହେଁ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ। ମନ୍ଦିର ପରିସରରେ ନୟନତାରା ଜୋତା ପିନ୍ଧି ବୁଲିବା ସହ ଫଟୋ ଉଠାଇଥିଲେ। ମନ୍ଦିର ପରିସରରେ ଜୋତା ପିନ୍ଧିବା ଓ ଫଟୋ ଉଠାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ନୟନତାରା ଓ ବିଘ୍ନେଶ ଏହାକୁ ଉଲ୍ଲଙ୍ଘନ କରିଥିଲେ। ସେଥିପାଇଁ ତିରୁମାଲା ତିରୁପତି ଦେବସ୍ଥାନମ କମିଟି ମୁଖ୍ୟ ସେମାନଙ୍କୁ ଆଇନଗତ ନୋଟିସ ପଠାଇଥିଲେ।