(ରିପୋର୍ଟସ ଟୁଡ଼େ/ମାଉଣ୍ଟ ମାଙ୍ଗାନୁଇ): ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମାଉଣ୍ଟ ମାଙ୍ଗାନୁଇରେ ଆରମ୍ଭ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୨୪୩ ରନ୍ କରିଛି। ଦଳ ୪୯ ଓଭରରେ ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ରସ୍ ଟେଲର ସର୍ବାଧିକ ୯୩ ରନ୍ କରିଥିବା ବେଳେ ଟମ୍ ଲାଥାମ୍ ୫୧ ଓ ଅଧିନାୟକ କେନ୍ ୱିଲିୟମସନ୍ ୨୮ ରନ୍ କରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଅନ୍ୟମାନେ ୧୨, ୧୩, ୧୫ ଓ ୭ ରନ୍ କରି ଆଉଟ୍ ହୋଇଯାଇଥିଲେ।
ଭୁବନେଶ୍ୱର କୁମାର ଏବଂ ମହମ୍ମଦ ଶାମି ଘାତକ ବୋଲିଂ କରି ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ଭୁବନେଶ୍ୱର ୨ଟି ଏବଂ ଶାମି ୩ଟି ୱିକେଟ୍ ନେଇଛନ୍ତି। ସେହିପରି ୟୁଜବେନ୍ଦର ଚହଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦୁଇଟି ଲେଖାଏ ୱିକେଟ୍ ମିଳିଛି। କେଦାର ଯାଦବ ଏବଂ କୁଲଦୀପ ଯାଦବଙ୍କୁ କୌଣସି ୱିକେଟ୍ ମିଳି ନଥିଲା।