ନାଇଜେରିଆ : ଚର୍ଚ୍ଚରେ ଆଖିବୁଜା ଗୁଳିମାଡ । ଲୋକମାନେ ପ୍ରାଥନା କରୁଥିବା ବେଳେ ହୋଇଛି ଗୁଳିମାଡ । ଘଟଣା ସ୍ଥଳରେ ୫୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକଙ୍କ ଅବସ୍ଥା ଗୁରୁତର ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ନାଇଜେରିଆର ପ୍ରାନ୍ତରେ ଥିବା ଓଣ୍ଡୋ ରାଜ୍ୟର ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ୍ ଚର୍ଚ୍ଚରେ । ଚର୍ଚ୍ଚକୁ ଟାର୍ଗେଟ କରିଥିଲେ ବୋଲି ବିଧାୟକ ଓଗୁନମୋଲାସୁଇ ଓଲୁୱୋଲ କହିଛନ୍ତି ।
ସୂଚନା ଅନୁଯାୟୀ ରବିବାର ରାତିରେ ଶତାଧିକ ଲୋକ ଚର୍ଚ୍ଚ ଭିତରେ ଓ ବାହାରେ ଏକତ୍ରୀତ ହୋଇଥିଲେ। ଏହି ସମୟରେ କିଛି ବନ୍ଧୁକଧାରୀ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଏହାସହ ସେମାନେ ବିସ୍ଫୋରଣ ମଧ୍ୟ କରିଛନ୍ତି ।
ଏହି ଘଟଣାରେ ୫୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲାମାନେ ବି ରହିଛନ୍ତି। ବନ୍ଧୁକଧାରୀମାନେ ଚର୍ଚ୍ଚର ଫାଦରଙ୍କୁ ମଧ୍ୟ ଅପହରଣ କରି ନେଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ଉଦ୍ଧାରକାରୀ ଦଳ ଗୁଳିମାଡରେ ଆହାତ ଥିବା ଅନେକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କିଛି ଜଣଙ୍କ ଅବସ୍ଥା ସଂକଟପନ୍ନ ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ରହିଛି । ଓୱ ସହରରେ ଥିବା ସେଣ୍ଟ ଫ୍ରାନସିସ କ୍ୟାଥୋଲିକ୍ରେ ଚର୍ଚ୍ଚରେ ଆକ୍ରମଣ ହୋଇଥିବା ଖବର ପାଇ ଓନଡୋ ର ରାଷ୍ଟ୍ରପତି ଏକେରେଡୋଲୁ ସେଠାରେ ପହଞ୍ଚିଥିଲେ । ସେ ହସ୍ପିଟାଲ ଯାଇ ଆହତଙ୍କୁ ମଧ୍ୟ ଭେଟିଛନ୍ତି। ଏକେରେଡୋଲୁ ଘଟଣାକୁ ନରସଂହାର ବୋଲି କହିବା ସହ ଦେଶରେ ଆଗକୁ ଏପରି ଘଟଣା ଘଟିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି। କିନ୍ତୁ କିଏ ଓ କାହିଁକି ଚର୍ଚ୍ଚରେ ଏପରି ନରସଂହାର କଲା, ସେ ବିଷୟରେ କିଛି ବି ଜଣାପଡ଼ିନି।