ଜୟପୁର: ସୋମବାର ଦିନ ରାଜସ୍ଥାନ ସରକାର ରାତ୍ରୀ କର୍ଫ୍ୟୁ ହଟାଇ ଦେବାକୁ ନିଷ୍ପତ୍ତି ନେବା ସହ କୋଭିଡ-୧୯ ମାମଲାରେ ହ୍ରାସକୁ ଦୃଷ୍ଟିରେ ରଖି ଅନ୍ୟ କିଛି କୋହଳ କରିବାକୁ ଯାଉଛି । କୋଭିଡ-୧୯ ସମୀକ୍ଷା ବୈଠକରେ ରାଜ୍ୟରେ ରାତ୍ରୀ କର୍ପ୍ୟୁ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ସ୍ୱାସ୍ଥ୍ୟଗତ ସମସ୍ତ ପ୍ରୋଟୋକଲ ପାଳନ କରିବାକୁ ହେବ, ନୋହିଲେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ବୈଠକ ପରେ ଅଶୋକ ଗେହଲଟ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ନଭେମ୍ବର ୨୧ ତାରିଖରେ ରାଜ୍ୟ ସରକାର ରାଜ୍ୟର ୮ଟି ଜିଲ୍ଲାରେ ସଂଂଧ୍ୟା ୮ଟାରୁ ସକାଳ ୬ ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁ ଲାଗି କରିଥିଲା । ଏହି ରାତ୍ରୀ କର୍ଫ୍ୟୁ ଜୟପୁର, ଯୋଦ୍ଧପୁର, କୋଟା, ବିକାନେର, ଉଦୟପୁର, ଆଜମେର ଓ ଭିଲୱାର ଜିଲ୍ଲାର ହେଡ କ୍ୱାଟରରେ ଲାଗୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ନାଗୌର, ପାଲି, ଟୋଙ୍କ, ଶିକାର ଓ ଗଙ୍ଗନଗରରେ ମଧ୍ୟ ଲାଗୁ ହୋଇଥିଲା । ନଭେମ୍ବରରେ ରାଜସ୍ଥାନରେ ଦୈନିକ ୩ହାଜରରୁ ଅଧିକ ନୂତନ କୋଭିଡ ମାମଲା ସାମ୍ନାକୁ ଆସୁଥିଲା । ତେବେ ରବିବାର ୨୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୫,୦୫୦ ଆକ୍ଟିଭ କେଶ ରହିଛି ।