ଭୁବନେଶ୍ୱର: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ବିଶ୍ଵ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ, ବାହୁଡ଼ାରେ ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ଜନ୍ମବେଦୀରୁ ରତ୍ନବେଦିକୁ ବାହୁଡ଼ିବା ପରେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ, ଅଧରପଣା ନୀତିଅନୁଷ୍ଠିତ ହୋଇଥାଏ । ଏହାପରେ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ। ଏହାକୁ ଶ୍ରୀଜୀଉମାନଙ୍କ ବଡ଼ ଦେଉଳ ପ୍ରବେଶ ବା ନୀଳାଦ୍ରି ବିଜେ ବୋଲି କୁହାଯାଏ।
ତେବେ ନୀଳାଦ୍ରି ବିଜେ ଦିନ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଇଥାଏ। ଏହାପରେ ସିଂହାସନ ମାଜଣା କରାଯାଇ ପହଣ୍ଡି ଆରମ୍ଭ ହୋଇଥାଏ। ଅନ୍ୟପକ୍ଷେ ମା ମହାଲକ୍ଷ୍ମୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ଲକ୍ଷ୍ମୀ। ତେଣୁ ଚକ୍ରରାଜ ସୁଦର୍ଶନ, ବଳିଆର ଭୁଜ ବଡ଼ ଠାକୁର ବା ପ୍ରଭୁ ବଳଭଦ୍ର ଓ କାମ୍ପିଲ୍ୟବାସିନୀ ମା ସୁଭଦ୍ରାଙ୍କ ଦେଉଳ ପ୍ରବେଶ ପରେ ଶେଷରେ ପ୍ରଭୁ ଜଗନ୍ନାଥ ବଡ଼ ଦେଉଳ ଭିତରକୁ ପ୍ରବେଶ ପ୍ରବେଶ କରିବା ସମୟରେ ମା ମହାଲକ୍ଷ୍ମୀ ବାଧା ଦେଇଥାନ୍ତି।
ତେଣୁ ମା ମହାଲକ୍ଷ୍ମୀଙ୍କ ଅଭିମାନ ଭାଙ୍ଗିବା ପାଇଁ କାଳିଆ ସାଆନ୍ତ ତାଙ୍କୁ ରସଗୋଲା ଖୁଆଇଥାନ୍ତି । ମହାଲକ୍ଷ୍ମୀ ରସଗୋଲା ଖାଇ ରାଗ ଶାନ୍ତ କରିବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତି। ନୀଳାଦ୍ରି ବିଜେ ତିଥିରେ ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଏ । ବର୍ଷକୁ ଗୋଟିଏ ଦିନ ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରାଯାଏ। ଏହି ତିଥିରେ ପୁରୀ ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାରରେ ମହାଲକ୍ଷ୍ମୀଙ୍କ ଅଭିମାନ ଭାଙ୍ଗିବା ପାଇଁ ଶ୍ରୀଜଗନ୍ନାଥ ରସଗୋଲା ଖୁଆଇବା ପରମ୍ପରା ରହିଛି। ଏହି ପରମ୍ପରା ଅନୁସାରେ ଆଜି ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ।