କାଲିମେଳା/ ସୂର୍ଯ୍ୟକାନ୍ତ ବେହେରା : ବିନା ସୁରକ୍ଷା ପାଚେରୀରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର । ଆଉ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛନ୍ତି ବିଦ୍ୟୁତ ବିଭାଗ ଅଧିକାରୀ । ମାଲକାନଗିରି ଜିଲ୍ଲା କାଲିମେଳା ବିଦ୍ୟୁତ ସବ୍-ଷ୍ଟେସନ ଆଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନା ଅନୁଯାୟୀ, ବିଦ୍ୟୁତ ଟ୍ରାନ୍ସଫର୍ମରଟି କାଲିମେଳା-ପଡ଼ିଆ ମୁଖ୍ୟରାସ୍ତା କଡ଼ରେ ଖୋଲା ଅବସ୍ଥାରେ ରହିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏହାର ଚତୁଃପାର୍ଶ୍ଵ ଆବଦ୍ଧ ନକରି ଖୋଲାରେ ଛାଡ଼ି ଦେଇଛନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ ଯାତାୟତ କରୁଥବାବେଳେ ବହୁ ଗୃହପାଳିତ ମଧ୍ୟ ଟ୍ରାନ୍ସଫର୍ମର ନିକଟରେ ବିଚରଣ କରୁଛନ୍ତି ।
ଟ୍ରାନ୍ସଫର୍ମର ଠାରୁ ମାତ୍ର ୧୦ ମିଟର ଦୂରରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି ଏବଂ ସେ ଏହି ରାସ୍ତାରେ ଯାତାୟତ କରୁଥିବାରୁ ତାଙ୍କ ଦୃଷ୍ଟି ବାରମ୍ବାର ମଧ୍ୟ ପଡୁଛି । ହେଲେ ସେ କିନ୍ତୁ ନୀରବଦ୍ରଷ୍ଟା ସାଜିଛନ୍ତି । ଏହି ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ପାଚେରୀ ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ଲୋକ ବହୁବାର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ବି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ଏହି ଟ୍ରାନ୍ସଫର୍ମର ନିକଟକୁ ଗୃହପାଳିତ ଜୀବଜନ୍ତୁ ଅସୁଥିବାରୁ ବିଦ୍ୟୁତ ଆଘାତରେ ସେମାନେ ପ୍ରାଣ ହରାଇବା ଆଶଙ୍କା ଦେଖାଦେଇଛି । ତେଣୁ ଖୋଲା ପଡ଼ିଥିବା ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।