ନିଶାସକ୍ତ ଯୁବକଙ୍କ ତୁମୁଳକାଣ୍ଡ: ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ

0

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟାନୟକଙ୍କୁ ଆକ୍ରମଣ । ନିଶାସକ୍ତ ଅବସ୍ଥାରେ କିଛି ଯୁବକ ତାଙ୍କ ଗାଡି ଅଟକାଇ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ । ୪/୫ ଜଣ ଦୁର୍ବୃତ୍ତ ନିରଞ୍ଜନଙ୍କୁ ଆକ୍ରମଣ କରିଥିବା ଉଦ୍ୟମ କରିଥିବା ବେଳେ ତାଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ମାଡ ମାରିଥିବା କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଛି ।

ଗତକାଲି ସଂଧ୍ୟାରେ ନିରଞ୍ଜନ ପଟ୍ଟନାୟକ କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ କେନ୍ଦୁଝର ଟାଉନ ଥାନା ଅଧୀନ କାଶୀପୁର ନିକଟରେ ୪-୫ ଜଣ ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଡ୍ରାଇଭର ଓ ପିଏସଓ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ସେମାନେ ନିରଞ୍ଜନଙ୍କୁ ଛାଡି ସେମାନଙ୍କୁ ମାଡମାରିଥିଲେ । ଏହାପରେ ନିରଞ୍ଜନ ଥାନାରେ ଏକ ଅଭିଯୋଗ କରିଛନ୍ତି । ଏହି ଆକ୍ରମଣ କୌଣସି ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କଂଗ୍ରେସ ସମର୍ଥକ କହୁଥିବା ବେଳେ ନିରଞ୍ଜନ ଏହାକୁ ଖଣ୍ଡନ କରିଛନ୍ତି । ନିରଞ୍ଜନ କହିଛନ୍ତି, ଆସିବା ସମୟରେ ସେମାନଙ୍କ ଗାଡିକୁ ଆମେ ଓଭର ଟେକ କରିଥିଲୁ । ଯେହେତୁ ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ, ଏହି ଓଭରଟେକକୁ ନେଇ ଉତ୍ୟକ୍ତ ହୋଇ ଗାଡି ଅଟକାଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ତେବେ ତାଙ୍କୁ ମାଡ ହୋଇନାହିଁ ।

ଅନ୍ୟ ପକ୍ଷରେ କଂଗ୍ରେସ ସମର୍ଥକ ନିରଞ୍ଜନଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ତୁମ୍ବିତୁଫାନ କରିଛନ୍ତି । ଏପରି କି ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଥିବା ଅଭିଯୋଗ କରି ତୁରନ୍ତ ଦୁର୍ବୃତ୍ତଙ୍କ ଗିରଫଦାରି ଦାବି କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଜିଲ୍ଲାପାଳଙ୍କ ବୁଝାଶୁଝା ପରେ ପରିସ୍ଥିତି ସୁଧୁରିଥିଲା ।