ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଏନ୍ ଏମ୍ ଏ ଅଧ୍ୟକ୍ଷ

0

ପୁରୀ (ଜୟନ୍ତ କୁମାର ସେଠି )ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଏନ୍ ଏମ୍ ଏ ଅଧ୍ୟକ୍ଷ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ମୁତାବକ ଐତିହ୍ୟ କରିଡର କାର୍ଯ୍ୟ କିଭଳି ଚାଲିଛି ସେନେଇ ଆଜି ପୁରୀ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଏନ୍ ଏମ୍ ଏ ଅଧ୍ୟକ୍ଷ ବୈଠକ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ନେଇ ଶ୍ରୀମନ୍ଦିର ପ୍ରଶାସନର ଆବେଦନ ଓ ଡିପିଆର ଦିଆଯିବା ପରେ ଏନ୍ ଏମ୍ ଏର ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷ। ତେବେ ଏନ୍ ଏମ୍ ଏ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ ପରେ ପ୍ରକଳ୍ପ ଦ୍ଵାରା ଭଙ୍ଗାଯାଇଥିବା ମଠ ଗୁଡ଼ିକର ସୋନ୍ଦର୍ଯ୍ୟକରଣ କରାଯାଇପାରିବ ବୋଲି ମଠାଧୀଶ ଆଶା ରଖିଛନ୍ତି।

  ଏନ୍ ଏମ୍ ଏ ଟିମ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁଇଟି  ବୈଠକ ହୋଇଥିଲା। ପ୍ରଥମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ଓ ପରେ ପ୍ରକଳ୍ପ ଦ୍ବାରା ପ୍ରଭାବିତ ୨୦ଟି ମଠର ମଠାଧୀଶଙ୍କ ସହ ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏନ୍ ଏମ୍ ଏ ର ଅଧ୍ୟକ୍ଷ କିଶୋର କୁମାର ବାସା , ଏନ୍ ଏମ୍ ଏ ଡାଇରେକ୍ଟର ସବ୍ୟସାଚୀ ମୋର ୱା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଉଚ୍ଛେଦ ହୋଇଥିବା ମଠର ମହନ୍ତ, ଓବିସିସି ଓ ଟାଟା ଅଧିକାରୀମାନେ ଉପସ୍ଥିତ ଥିଲେ।

– ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ୧୩ ମିଟର ଉଚ୍ଚତା ବୃଦ୍ଧି କରିବା ସହ ଶ୍ରୀ ଜଗନ୍ନାଥ ରିସେପସନ୍ ସେଣ୍ଟର ୧୦୦ ମିଟର ବାହାରେ କେଉଁ ଜାଗାରେ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏନ ଏମ ଏ ଦେଇଥିବା ନିର୍ଦ୍ଦେଶର ଅନୁପାଳନ ହୋଇଛି କି ନାହିଁ, କିଭଳି କାର୍ଯ୍ୟ ହୋଇଛି, କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଏନ ଏମ୍ ଏ ଅଧ୍ୟକ୍ଷ। ମୁଖ୍ୟତଃ ଶ୍ରୀମନ୍ଦିର ଦକ୍ଷିଣ ପୂର୍ବ କୋଣରେ ଏହାର ମଠ ପାର୍ଶ୍ୱରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ପାଇଁ ୧୦୦.୫ ମିଟର ବାହାରେ ନିର୍ମାଣ ପାଇଁ ସାନି ଡିପିଆର ଆବେଦନ ପାଇଁ ଅନୁମତି ଦେଇଥିଲେ ଏନ ଏମ ଏ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନ୍ୟାସନାଲ ମନୁମେଣ୍ଟ ଅଥୋରିଟି ପକ୍ଷରୁ ଏନ୍ଓସି ମିଳିବା ପରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି।

ନିଷିଦ୍ଧାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିର୍ମାଣକୁ ଏନ ଏମ ଏ ଅନୁମତି ଦେଇଥିବା ବେଳେ ରେଗୁଲେଟେଡ୍ ଅଞ୍ଚଳରେ ମଧ୍ୟ ନିର୍ମାଣ ନେଇ ଅନୁମତି ମିଳିଛି। ତେବେ ଏହି ଅନୁମତି ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ତଥା ଐତିହ୍ୟ ପରିକ୍ରମା ପ୍ରକଳ୍ପର ଅନେକ କାର୍ଯ୍ୟ ଶେଷ ହୋଇଛି।  ନ୍ୟାସନାଲ ମନୁମେଣ୍ଟ ଅଥୋରିଟିର ଅଧ୍ୟକ୍ଷ ନିଷିଦ୍ଧାଞ୍ଚଳରେ ନିର୍ମାଣ ହୋଇଥିବା ଶୌଚାଳୟ, କ୍ଲକ୍ ରୁମ୍, ମିନି କ୍ଲକ୍ ରୁମ୍, ସେଲ୍ଟର ପାଭିଲିଅନ୍ ଓ ଇଲେକ୍ଟ୍ରିକାଲ ରୁମ୍ ଆଦି ବୁଲି ଦେଖିଥିଲେ। ସେହିପରି ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପସନ୍ ସେଣ୍ଟର ନିର୍ମାଣ କରିବା ପାଇଁ ଏନ୍ଏମ୍ଏ ଏନ୍ଓସି ଦେଇଥିଲେ ହେଁ ଶହେ ମିଟର ବାହାରେ କେଉଁ ସ୍ଥାନରେ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନ୍ ଏମ ଏ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯାଉଛି। ନିଷିଦ୍ଧାଞ୍ଚଳର ଶହେ ମିଟର ପରେ ଥିବା ରେଗୁଲେଟେଡ୍ ଅଞ୍ଚଳରେ ଇନଫର୍ମେସନ୍ ସେଣ୍ଟର, ଡୋନେସନ୍ ସେଲ୍, ଫାର୍ଷ୍ଟେଡ୍ ସେଣ୍ଟର, ପୋଲିସ ସର୍ଭିସ୍ ସେଣ୍ଟର ଓ ଏଟିଏମ୍ ନିର୍ମାଣ କାର୍ଯ୍ୟ କରାଯାଉଛି।ସେହିପରି କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ୧୦୦ ମିଟର ବାହାରେ ୧୪ଟି ଓ ଓଡ଼ିଶା ମନ୍ଦିର ଶୈଳୀରେ ୭୫ ମିଟର ଭିତରେ ଥିବା ୨୦ଟି ମଠର ବିକାଶ ଓ ସୋନ୍ଦର୍ଯ୍ୟକରଣ କରାଯିବ। କ୍ଷତିଗ୍ରସ୍ତ ମଠ ଗୁଡ଼ିକ ଆସନ୍ତା ୭ ଦିନରେ ସେମାନଙ୍କ ପ୍ରକଳ୍ପ ରିପୋର୍ଟ ଏନ୍ ଏମ କୁ ଦେବେ ବୋଲି ମଠାଧୀଶ କହିଛନ୍ତି।