ଭୁବନେଶ୍ୱର : ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଖରାପ ସଂଳାପ କହିପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ସଂସ୍କୃତିକୁ ସମ୍ମାନ ଜଣାଇବେ । ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖାଯାଇଛି । ଏହି ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ଯେ,ଯାତ୍ରା ଓ ମେଲୋଡି ଆମ ଓଡ଼ିଶାରେ ମନୋରଞ୍ଜନ ଏକ ଲୋକପ୍ରିୟ ମାଧ୍ୟମ, ଲକ୍ଷ କରାଯାଉଛି ଯେ ଯାତ୍ରା, ମେଲୋଡି ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗି, ଦ୍ବିଅର୍ଥିବୋଧକ ସଂଳାପ ଏବଂ ଅଭିନୟ ପରିଦର୍ଶନ କରାଯାଉଛି | ଫଳରେ ପରିବାର ସହିତ ମନୋରଞ୍ଜନ ପାଇଁ ନାଟକ ଦେଖିବା ସମ୍ଭବ ହେଉନାହିଁ | ଏହାର ପ୍ରଭାବରେ ଯୁବକ ଯୁବତୀ ମାନେ ବିପଥଗାମୀ ହେବା ସହ ବିଭିନ୍ନ ପ୍ରକାର ଅପରାଧରେ ସମ୍ପୃକ୍ତ ହେଉଛନ୍ତି | ଏହି ପରିପ୍ରେକ୍ଷୀରେ ଯାତ୍ରା ଓ ମେଲୋଡି ମଞ୍ଚରେ ଏ ପ୍ରକାର ଅଶ୍ଳୀଳ ଏବଂ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ |