(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ସମୟ କାଳ ବଢାଇବାକୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ରାଜ୍ୟସଭାରେ ପ୍ରସ୍ତାବ ଉପସ୍ଥାପନ କରିବେ । ଏହି ବିଲ ଲୋକସଭାରେ ପାସ ହୋଇଯାଇଛି । କିନ୍ତୁ ରାଜ୍ୟସଭାରେ ଏହାକୁ ପାସ କରିବା ସରକାର ପାଇଁ ଅଗ୍ନିପରୀକ୍ଷା ହେବ । ଲୋକସଭାରେ କଂଗ୍ରେସ ଯେଉଁ ଭାବରେ ଏହାକୁ ବିରୋଧ କରୁଛି ସେଥିରୁ ଜଣାପଡୁଛି ରାଜ୍ୟସଭାରେ ଏହାକୁ ପାସ କରିବା ସହଜ ହେବ ନାହିଁ । ରାଜ୍ୟସଭାରେ ଏନଡିଏ ବହୁ ମତରୁ ବହୁ ଦୂରରେ ।
ଗତ କାର୍ଯ୍ୟକାଳରେ ମଧ୍ୟ ମୋଦି ସରକାରକୁ ଅନେକ ସମୟରେ କସରତ କରିବାକୁ ହୋଇଥିଲା । ଲୋକସଭାରେ ତ ସବୁ ବିଲ ପାସ କରିଦେଉଥିଲା ଏନଡିଏ କିନ୍ତୁ ରାଜ୍ୟସଭାରେ ଏହା ଅଟଳି ଯାଉଥିଲା । ତେଣୁ ତିନ ତଲାକକୁ ପାସ କରିବାରେ ସରକାର ସକ୍ଷମ ହୋଇନଥିଲା ।
ଚଳିତ ଥର ରାଜ୍ୟସଭାରେ ମୋଟ ୨୪୫ ଜଣ ସାଂସଦଙ୍କ ମଧ୍ୟରୁ ଏନଡିଏ ପାଖରେ ୧୦୪ ଜଣ ଅଛନ୍ତି । କିନ୍ତୁ ବହୁମତ ପାଇଁ ୧୨୩ ସାଂସଦଙ୍କ ଆବଶ୍ୟକତା ରହିଛି । ଏହି ବିଲକୁ ପାସ କରିବାକୁ ହେଲେ ମୋଦି ସରକାରକୁ ଅନ୍ୟ ଦଳକୁ ନେଜ ଆଡକୁ କରିବାକୁ ହେବ । ଗୃହରେ ଏନଡିଏ ବାହାରର ଏମିତି କିଛି ଦଳ ରହିଛି ଯେଉଁମାନଙ୍କଠାରୁ ସମର୍ଥନ ମିଳିବାର ଆଶା କରାଯାଇପାରେ । ଗୋଟିଏ ବିଜେଡି- ୫, ଓ ୟାଇଏସଆର-୨ । ଏହି ଦୁଇ ଦଳକୁ ମିଶାଇଲେ ମଧ୍ୟ ବହୁମତ ହେଉନାହିଁ । ଏବେ ଦେଖିବାକୁ ଅଛି କିପରି ବିଲ ପାସ କରାଇବ ସରକାର ।