(ଶିଳାସ୍ମିତା ରାୟ) ଭୁବନେଶ୍ୱର: କୌଣସି ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିବାକୁ ଅସମର୍ଥ ଥିଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ, ସରକାର ଋଣଧାରୀଙ୍କୁ ମଧ୍ୟ ଅନେକ ଅଧିକାର ପ୍ରଦାନ କରିଛନ୍ତି । ଋଣଧାରୀଙ୍କର ସଂପତି ନିଲାମୀଠାରୁ ଆରମ୍ଭ କରି ନୋଟିସ ପଠାଇବା ପର୍ୟ୍ୟନ୍ତ ସବୁକିଛି ଋଣ ଅଧିକାରର ପରିସରର୍ଭୁକ୍ତ ଅଟେ । କୌଣସି ବ୍ୟାଙ୍କ ତଥା ସଂସ୍ଥା ଏହି ନିୟମର ଉଲ୍ଲଘଂନ କଲେ ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବା ପାଇଁ ବ୍ୟବସ୍ଥା ରହିଥିବା କେନ୍ଦ୍ର ଅର୍ଥି ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ସୂଚନା ଦେଇଛନ୍ତି ।
ସେହିଭଳି ଗ୍ରାହକଙ୍କଠାରୁ ବ୍ୟାଙ୍କ ଜୋର ଜବରଦସ୍ତ ଲୋନ ବାବଦକୁ ନେଇଥିବା ଟଙ୍କାକୁ ଆଦାୟ କରିପାରିବ ନାହିଁ କି ଗ୍ରାହକଙ୍କୁ ହଇରାଣ କରିବା ପାଇଁ ବାଉନ୍ସରଙ୍କୁ ନିଯୁକ୍ତ କରିପାରିବ । ସରକାର ସ୍ପଷ୍ଟ କରିଛନ୍ତି ଯେ, ବ୍ୟାଙ୍କମାନଙ୍କୁ ଲୋନ ଆଦାୟ କରିବା ପାଇଁ ଏଜେଂଟମାନଙ୍କୁ ନିଯୁକ୍ତିରେ ବାଉନ୍ସର ଅର୍ଥାତ୍ ବାହୁବଳୀମାନଙ୍କୁ ନିଯୁକ୍ତି କରିବାର ଅଧିକାର ନାହିଁ । ଅନୁରାଗ ଆହୁରି କହିଛନ୍ତି, ଏଥିପାଇଁ ଆରବିଆଇ ପକ୍ଷରୁ ମଧ୍ୟ ନିୟମବଳୀ ଜାରି କରାଯାଇଛି । ପ୍ରତ୍ୟେକ ବ୍ୟାଙ୍କ ଏହି ନିୟମାବଳୀ ପାଳନ କରିବାକୁ ବାଧ୍ୟ । କୌଣସି ବ୍ୟାଙ୍କ ଏହାର ଉଲ୍ଲଂଘନ କରିବାକୁ ଚେଷ୍ଟା କଲେ ବ୍ୟାଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗାଇଡ ଲାଇନ୍ସ ଅନ ଫେୟାର ପ୍ରୋକ୍ଟିସେସ କୋଡ ଫର ଲେଣ୍ଡର୍ସ ଶୀର୍ଷକରୁ ଏହାକୁ ଜାରି କରିଛି ।