ସମ୍ବଲପୁରରେ ପୁଣି ଏନକାଉଣ୍ଟର । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ସର୍ଗିଡିହି ଗ୍ରାମର କୁଖ୍ୟାତ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ପୁଲିସ ପକ୍ଷରୁ ଗୁଳିମାଡ଼ ହୋଇଛି । ସୀତାରାମ ଷଡଙ୍ଗୀ ନାଁରେ ୨୫ରୁ ଅଧିକ ଡକାୟତି, ରାହାଜାନି, ହତ୍ୟା ଉଦ୍ୟମ ପରି ଅନେକ ଅପରାଧିକ ମାମଲା ରହିଛି ।
ସୂଚନା ଅନୁସାରେ ଏକ ଡକାୟତି ମାମଲାରେ ସୀତାରାମକୁ ଗିରଫ କରିବାକୁ ଯିବା ବେଳେ ଭୋର ପ୍ରାୟ ୫ଟା ୧୫ରେ ରଙ୍ଗିଆଟିକ୍ରା ଗୋବିନ୍ଦପୁରରେ ପୁଲିସ ଓ ଅପରାଧୀ ମୁହାଁମୁହିଁ ହୋଇଥିଲେ । ପୁଲିସ କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ସୀତାରାମ । ଏହାର ପାଲଟା ଯବାବରେ ପୁଲିସ ମଧ୍ୟ ଗୁଳି ଚାଳନା କରିଥିଲା । ଗୁଳିଟି ସୀତାରାମର ବାମ ଗୋଡ଼ରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲା । ତାକୁ ପ୍ରଥମେ କୁଚିଣ୍ଡାରେ ପ୍ରାଥମିକ ଚିକତ୍ସା ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତା ନିକଟରୁ ଗୋଟି ଦେଶୀ ପିସ୍ତଲ, ଗୁଳି, ବାଇକ ଓ ୧ ଲକ୍ଷ ଟଙ୍କା ଜବତ କରିଛି ପୁଲିସ ।