(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଯାଜପୁର ଜିଲ୍ଲାର ନଗଡ଼ା ଶିଶୁ ଅପପୃଷ୍ଟି ଓ ମୃତ୍ୟୁକୁ ନେଇ ବିଶ୍ୱ ଦରବାରରେ ଓଡିଶା ନିନ୍ଦିତ ହୋଇଛି । ବଣ ପାହାଡ ଘେରା ଏହି ଅଞ୍ଚଳଟି ଆଧୁନିକତାଠୁ ବହୁ ଦୂରରେ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁକିଛି ଏଠାର ଲୋକଙ୍କ ପାଇଁ ଆଜି ମଧ୍ୟ ସ୍ୱପ୍ନ । ନଗଡା ଶିଶୁ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାର ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେବାକୁ ଏଠାର ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ନଗଡା ବାସୀଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ।
ଏପରି ସମୟରେ ନଗଡାବାସୀଙ୍କ ପାଇଁ ଦେବଦୂତ ସାଜି ଆସିଛନ୍ତି ସିଙ୍ଗାପୁରରେ ରହୁଥିବା ଓଡିଆ ଯୁବକ ସତ୍ୟ ସୁତାର । କେନ୍ଦୁଝର ଆନ୍ଦପୁର ଫକିରପୁର ଗ୍ରାମ ବାସିନ୍ଦା ସତ୍ୟ ସୁତାର ଏବେ ସିଙ୍ଗାପୁର ଏଫ୍.ଇ.ଏମ୍.ଏନ୍.ସି କମ୍ପାନିର ସାଧାରଣ ନିର୍ଦେଶକ ଭାବେ କାର୍ୟ୍ୟକରୁଛନ୍ତି। ସେହି ଅଞ୍ଚଳବାସୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ସତ୍ୟ ସହାୟତାର ହାତ ବଢ଼ାଇଛନ୍ତି । ନିକଟରେ ସେଠା ବାସିନ୍ଦାଙ୍କୁ ପୋଷାକ, ପାଠ୍ୟ ଉପକରଣ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଖାଦ୍ୟ ବଣ୍ଟନ କରିଛନ୍ତି । ଏହା ବ୍ୟତୀତ ନଗଡାବାସୀଙ୍କୁ ସ୍ୱାବଲମ୍ବୀ କରିବାକୁ, ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ କରିବାକୁ ସତ୍ୟ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ସେ ନଗଡା ଗ୍ରାମବାସୀଙ୍କ ପାଇଁ ନଗଡା ଗାଁ ବ୍ୟାଙ୍କ ସମିତିର ଗଠନ କରିଛନ୍ତି । ନିଜ ହାତରୁ ଏକ ଲକ୍ଷ ଟଙ୍କା ସେହି ବ୍ୟାଙ୍କକୁ ଦାନ କରିଛନ୍ତି । ନଗଡାର ୩ ଗାଁର ଲୋକେ ରୋଗ ବ୍ୟାଧି ସମୟରେ ଏହି ବ୍ୟାଙ୍କରୁ ବିନା ସୁଧରେ ଟଙ୍କା ଉଠାଇ ନେଇ ପାରିବେ। ଏତଦ୍ ଭିନ୍ନ ଏଠାରେ ଚାଷ ହେଉଥିବା ମକା ଓ ଧାନ ଉଦ୍ପାଦନ ପାଇଁ ମଧ୍ୟ ଲୋକେ ଏହି ବ୍ୟାଙ୍କରୁ ଟଙ୍କା ସାହାଯ୍ୟ ନେଇ ଚାଷ କରିବା ସହ ଅମଳ ପରେ ତାହାକୁ ବ୍ୟାଙ୍କକୁ ବିନା ସୁଧରେ ଫେରାଇବାର ସୁବିଧା କରିଛନ୍ତି ସତ୍ୟ । ତାଙ୍କର ଏହି ଅଭିନବ ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ପ୍ରଶଂସା ମଧ୍ୟ କରାଯାଉଛି ।