(ଜ୍ୟୋତିରଞ୍ଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ପ୍ରକଳ୍ପ ପକ୍ଷରୁ ନୂତନ ଆସ୍ପଣ୍ଡ ସଂପ୍ରସାରଣ ପାଇଁ ଜାଗା ଅଧିଗ୍ରହଣ ପାଇଁ କଣିହାଁ ତହସିଲ୍ ଅଫିସ ଠାରେ ଏକ ତ୍ରିପାକ୍ଷିକ ଜନଶୁଣାଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଏଡିଏମ୍ ସନ୍ତୋଷ କୁମାର ପ୍ରଧାନଙ୍କ ଅଧକ୍ଷତା କ୍ରମେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, କଣିହାଁ ତହସିଲଦାର ପତିତପାବନ ଦେବତା, ଭୂଅର୍ଜନ ଅଧିକାରୀଣୀ ମନିଷା ଗୁପ୍ତା, ଏନଟିପିସି ଡିଜିଏମ୍ ଏଚଆର ପ୍ରେମଜିତ୍ ସିଂହ, ପ୍ରକଳ୍ପ ଭୂଅର୍ଜନ ଅଧିକାରୀ ରାଜେନ୍ଦ୍ର କୁମାର ବେହେରା ବରିଷ୍ଠ ଅଧିକାରୀ ପ୍ରମୁଖ ବିସ୍ଥାପିତ ହେବାକୁ ଯାଉଥିବା ଦୁଇ ଗ୍ରାମର ଲୋକେ ଉପସ୍ଥିତ ଥିଲେ । ଦୁଇଟି ପର୍ୟ୍ୟାୟରେ ତ୍ରିପାକ୍ଷିକ ଜନଶୁଣାଣୀ ବୈଠକ ବସିଥିଲା । ଆଜି ପୂର୍ବାହ୍ନ ବେଳେ ବ୍ଲକସ୍ଥ ମସୁଣିହତା ଓ ଅପରାହ୍ନରେ ବଡହିରା ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି ବୈଠକ ବସିଥିଲା । ଉଭୟ ଗ୍ରାମରୁ ୧୫ଜଣ ଲେଖାଏଁ ପ୍ରତିନିଧିତ୍ୱ କରି ଆଲୋଚନାରେ ଭାଗ ନେଇଥିଲେ।
ପ୍ରକାଶ ଥାଉକି, ବଡହିରା ଗ୍ରାମର (ଘରବାରି ସହ ଚାଷଜମି ମୋଟ୍ ୪୫୮ଏକର ଜମି) ସଂପୁର୍ଣ୍ଣ ବିସ୍ଥାପିତ ହେଉଥିବା ବେଳେ ମସୁଣିହତା ଗ୍ରାମରୁ (କିଛି ପରିବାରର ଘରବାରି ସହିତ ୧୦୯ଏକର ଚାଷ ଜମି) ଆଂଶିକ ଅଧିଗ୍ରହଣ ହେବ ବୋଲି ଜଣାଯାଇଛି । ପୂର୍ବରୁ ଅଧିଗ୍ରହଣ ହେବାକୁ ଥିବା ମୋଟ୍ ୫୬୭ ଜମିଜମାକୁ ପ୍ରାୟ ୫ମାସ ପୂର୍ବରୁ ମେଜରମେଣ୍ଟ ହୋଇଥିଲା । କାହିଁକି ପ୍ରଜାଙ୍କୁ ନୋଟିସ୍ ନଦେଇ ପ୍ରଜାଙ୍କ ଘର ମାପଚୁପ କରିବା ପ୍ରସଙ୍ଗରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ବୈଠକ ବର୍ଷିଥିଲେ । ପୁନଶ୍ଚ ପ୍ରଜାଙ୍କୁ ନୋଟିସ୍ ଦେଇ ମାପଚୁପ କରିବା ପାଇଁ ପରାମର୍ଶ ଦେଇଥିଲେ । ବଡହିରା ଗ୍ରାମବାସୀଙ୍କ ପକ୍ଷରୁ ୧୭ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବଡହିରା ଗାଁ ସଭାପତି ସୁଧିଶ କୁମାର ସାହୁ, ସମ୍ପାଦକ ସମୀର କୁମାର ନାଏକ, ମହେଶ୍ୱର ପ୍ରଧାନ, ପିତାମ୍ବର ସାହୁ, ମସୁଣିହତା ସଭାପତି ଅଖିଳ ପ୍ରଧାନ, ସମ୍ପାଦକ ପ୍ରବୀଣ ନାଏକ ସମେତ ଅନ୍ୟମାନେ ସାମିଲ ଥିଲେ ।