ମାଲି ଆତଙ୍କବାଦୀ ଆକ୍ରମଣ: ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡିଆ

0

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ । ମାଲିରେ ଅପୃହତ ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ଥିବା ସୂଚନା । ଅପହୃତ ଯୁବକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ । ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅପହୃତ ବ୍ୟକ୍ତିଙ୍କ ମା’ । ୨ ଦିନ ତଳେ ମାଲିରେ ୩ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି ଅଲ୍‌କାଏଦା ଆତଙ୍କବାଦୀ ।

ସୂଚନା ଅନୁସାରେ, ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଗତ ୨ ଦିନ ତଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ତିନି ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି ଆତଙ୍କବାଦୀ । ତେବେ ଭାରତ ସରକାର ଏହି ଘଟଣାରେ ଗଭୀର ଚିନ୍ତା ପ୍ରକାଶ କରି ସେମାନଙ୍କୁ ତୁରନ୍ତ ଏବଂ ସୁରକ୍ଷିତ ମୁକ୍ତି ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମାଲି ସରକାରଙ୍କୁ ନିବେଦନ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଥିବା ନେଇ ଭାରତୀୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି।

ତେବେ ଗତ କିଛି ବର୍ଷ ମଧ୍ୟରେ ମାଲିରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଜୁଲାଇ ୧ ରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ପୂର୍ବରୁ, ଗତ ବର୍ଷ ସେପ୍ଟେମ୍ବର ୧୭ ରେ ବାମାକୋର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୭୭ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହା ପୂର୍ବରୁ ୭ ସେପ୍ଟେମ୍ବର ୨୦୨୩ ରେ, ଟିମ୍ବୁକ୍ଟୁ ନିକଟସ୍ଥ ନାଇଜର ନଦୀରେ ଏକ ଡଙ୍ଗା ଉପରେ ଆକ୍ରମଣ ହୋଇଥିଲା। ଆମେରିକାର ବୈଦେଶିକ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୭୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୪୯ ଜଣ ସାଧାରଣ ନାଗରିକ ମଧ୍ୟ ଥିଲେ ।