ଓଡ଼ିଶାରେ ଶିଶୁଙ୍କ ପ୍ରତି ଅଧିକ ଯତ୍ନବାନ ହେବା ନିହାତି ଆବଶ୍ୟକ
ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଡିଏମ୍ଇଟି ପ୍ରଫେସର କହିଛନ୍ତି, ଯୁବଗୋଷ୍ଠୀ ଓ ବୟସ୍କ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇସାରିଛନ୍ତି ଅଥବା ଟିକା ନେଇ ସାରିଛନ୍ତି ।
(ଭୁବନେଶ୍ୱର) : ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଡିଏମ୍ଇଟି ପ୍ରଫେସର କହିଛନ୍ତି, ଯୁବଗୋଷ୍ଠୀ ଓ ବୟସ୍କ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇସାରିଛନ୍ତି ଅଥବା ଟିକା ନେଇ ସାରିଛନ୍ତି । ତେଣୁ ଶିଶୁଙ୍କୁ ସଂକ୍ରମଣ ହେବାର ଆଶଙ୍କା ସବୁଠୁ ବେଶି ରହିଛି । ଶିଶୁ ସଂକ୍ରମଣ ତଥ୍ୟ ଉପରେ ସପ୍ତାହେ ନଜର ରଖିବା ପରେ ସ୍ଥିତି କେମିତି ଅଛି ଜଣାପଡ଼ିବ । ଶିଶୁ ଗୁରୁତର ହେବାର ଆଶଙ୍କା କମ୍ ଥିବା କଥାକୁ ପୁଣି ଡାକ୍ତର ମହାନ୍ତି ଦୋହରାଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ଲହରିରେ ଯେଉଁ ପଦକ୍ଷେପ ନିଆଯାଇଥିଲା, ତୃତୀୟ ଲହରିରେ ମଧ୍ୟ ସମାନ ପଦକ୍ଷେପ ନିଆଯିବ । ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ପଦକ୍ଷେପ ନିଆଯାଉଛି ।
ସୂଚନାନୁଯାୟୀ , ଶିଶୁଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡ଼ି ମାପିବାକୁ ସେରୋଲୋକାଲ ସର୍ଭେ ବା ସେରୋ ସର୍ଭେ ହେବ। ଖୁବ୍ଶୀଘ୍ର ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ସର୍ଭେ ହେବ । ୬ରୁ ୧୮ ବର୍ଷ ବୟସ୍କଙ୍କ ସହ ଅନ୍ୟ ସବୁବର୍ଗର ଲୋକଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ବୋଲି ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ଏ ଯାଏ ପିଲାଙ୍କ ପାଇଁ ଟିକା ଆସିପାରିନି। ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି ନା ନାହିଁ, ସେରୋ ସର୍ଭେ ପରେ ସ୍ପଷ୍ଟ ହୋଇଯିବ । ଏଥିପାଇଁ ସରକାର ୫୭.୭୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛନ୍ତି।