ଭୁବନେଶ୍ଵର: ବନ୍ଦ ହେବନି ଡ୍ରାଇଭର ସଂଘଙ୍କ ଆନ୍ଦୋଳନ । ଆନ୍ଦୋଳନ ବନ୍ଦ ନ ହେବା ନେଇ ସୂଚନା ଦେଇଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି ବୋଲି କହିଛନ୍ତି ସଂଘ ସଭାପତି । ତେବେ ଆନ୍ଦୋଳନରେ ସାମିଲ୍ ହେବାକୁ ୩୦ ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରିଛନ୍ତି । ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି । ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା, ଆନ୍ଦୋଳନ ବନ୍ଦ ହେବନି ବୋଲି ସିଧାସଳଖ କହିଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।
ସୂଚନାଯୋଗ୍ୟ, ୭ଦଫା ଦାବି ନେଇ ୪ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଙ୍ଘ । ଓଡିଶାରେ ୩ ଲକ୍ଷରୁ ଅଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆନ୍ଦୋଳନକୁ ବିଭିନ୍ନ ରାଜ୍ୟର ଡ୍ରାଇଭର ସଂଘ ଓ ବିଭିନ୍ନ ମାଲିକ ସଂଘ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ଗତକାଲି ଓଡ଼ିଶା ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା । ଖାରବେଳ ଭବନରେ ପରିବହନ କମିସନର ଓ ସଚିବଙ୍କ ସହିତ ଅଢ଼େଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସହିତ ମଧ୍ୟ ୪ ଘଣ୍ଟା ଧରି ଆଲୋଚନା ହେଲା, କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ଫଳରେ ଆଜି ବି ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଥିଲା ।