ଭୁବନେଶ୍ଵର: ଜାରି ରହିଛି ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଆଜିକୁ ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ପେଟ୍ରୋଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକପ୍ରକାର ଠପ୍ ହୋଇଯାଇଛି । ସେପଟେ ଘରୋଇ ବସ୍ ଚଳାଚଳ କରୁନଥିବାରୁ ଯାତ୍ରୀମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୬ ଦଫା ଦାବି ପୂରଣ ଜିଦରେ ଅଟଳ ରହିଛି ଓଡ଼ିଶା ଡ୍ରାଇଭର ମହାସଂଘ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବି କୌଣସି ନିଷ୍କର୍ସ ନ ମିଳିବାରୁ ଆନ୍ଦୋଳନ ଜାରି ରହିଛି । ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଆଶା କରୁଛି ଡ୍ରାଇଭର ସଂଘ ।
ତେବେ କହିରଖୁଛୁ ଯେ, ୬ ଦଫା ଦାବି ନେଇ ଗତକାଲିଠୁ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଙ୍ଘ । ଓଡିଶାରେ ୩ ଲକ୍ଷରୁ ଅଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆନ୍ଦୋଳନକୁ ବିଭିନ୍ନ ରାଜ୍ୟର ଡ୍ରାଇଭର ସଂଘ ଓ ବିଭିନ୍ନ ମାଲିକ ସଂଘ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ଗତକାଲି ଓଡ଼ିଶା ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା । ଖାରବେଳ ଭବନରେ ପରିବହନ କମିସନର ଓ ସଚିବଙ୍କ ସହିତ ଅଢ଼େଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସହିତ ମଧ୍ୟ ୪ ଘଣ୍ଟା ଧରି ଆଲୋଚନା ହେଲା, କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ଫଳରେ ଆଜି ବି ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଥିଲା ।
ଅନ୍ୟପଟେ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ଆଜିଠୁ ରାଜ୍ୟରେ ପେଟ୍ରୋଲ ଅଭାବ ଦେଖାଯିବା ନେଇ ଆଶଙ୍କା ଉପୁଜିଥିଲା । ଗତକାଲି ପେଟ୍ରୋଲିୟମ୍ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏପରି ଆଶଙ୍କା କରି ଯଦି ତେଲ ପରିବହନ ବନ୍ଦ ରହେ ତେବେ ପେଟ୍ରୋଲ ପମ୍ପ୍ରେ ପଟ୍ରୋଲ ସରିଯିବ । ତେଣୁ ଆଜିଠୁ ତେଲ କ୍ରାଇସିସ୍ ଦେଖିବାକୁ ମିଳିପାରେ ବୋଲି କହିଥିଲେ ପେଟ୍ରୋଲିୟମ୍ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । କିନ୍ତୁ ଆଜି ପେଟ୍ରୋଲ୍ ପମ୍ପ୍ରେ ତେଲ ସଙ୍କଟ ଆଶଙ୍କା ଟଳିଥିବା ନେଇ ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା ଦେଇଛନ୍ତି । ୧୫୦ ପେଟ୍ରୋଲ୍ ଟ୍ୟାଙ୍କର ଆସି ପହଞ୍ଚିଛି । ତେଣୁ ପେଟ୍ରୋଲ୍ ପମ୍ପ୍ରେ ତେଲ ସରିଯିବା ଆଶଙ୍କା ଆଉ ନାହିଁ । ତେଣୁ ପେଟ୍ରୋଲ୍ ପମ୍ପ୍ରେ ଅଯଥା ଭିଡ଼ ନ କରିବା ପାଇଁ ଅନୁରୋଧ କରିଛନ୍ତି ସଞ୍ଜୟ ଲାଠ ।