ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସ୍ପଷ୍ଟ ଦିବାଲୋକରେ ଲୁଟ

0

ବାରିପଦା-: ରାଜ୍ୟରେ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଦୁଷ୍କର୍ମ, ହତ୍ୟା ଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ବାରିପଦାରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ପୋଲିସ ପ୍ରଶାସନ ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ସ୍ପଷ୍ଟ ଦିବାଲୋକରେ ହୋଇଛି ବ୍ୟାଙ୍କ ଲୁଟ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଆଜି ଡକାୟତି ହୋଇଛି। ଲୁଟେରାମାନେ ବ୍ୟାଙ୍କରୁ ଲୁଟ୍‌ ପରେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି।

ସୂଚନା ମୁତାବକ, ୨ଟି ବାଇକ୍‌ରେ ୫ଜଣ ଦୁର୍ବୃତ୍ତ ଆସି ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ଥିଲେ। ପରେ ସେମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ସହ ଭୁଜାଲି ଦେଖାଇ ଭୟଭିତ କରିବା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏପରିକି ଦୁର୍ବୃତ୍ତମାନେ ଲାଗିଥିବା ସିସି ଟିଭିର ହାର୍ଡଡିସ ନେଇଯାଇଛନ୍ତି। ଦୁର୍ବୃତ୍ତମାନେ ଯିବା ବେଳେ ବ୍ୟାଙ୍କ ଗେଟ୍‌ରେ ତାଲା ପକାଇ ଚମ୍ପଟ ମାରିଥିବା ଜଣାପଡଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରିକି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଛି।