(କଟକ): ଆସନ୍ତାକାଲି ଠାରୁ ସମସ୍ତ କ୍ୟାନସର ରୋଗୀଙ୍କ ପେଟ୍ ସିଟି ସ୍କାନର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆଜି ଓଡ଼ିଶା ହାଇକୋର୍ଟ ଏ ସମ୍ପର୍କିୟ ଏକ ମାମଲାର ଶୁଣାଣି ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପେଟ୍ ସିଟି ସ୍କାନ ପାଇଁ ରୋଗୀଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ଏବେ ହାଇକୋର୍ଟଙ୍କ ଏହି ରାୟ ପରେ ଖର୍ଚ୍ଚାନ୍ତ ହେଉଥିବା ରୋଗୀଙ୍କୁ ଆଶ୍ୱସ୍ତି ମିଳିଛି । କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ପେଟ୍ ସିଟି ସ୍କାନ ମେସିନ ନଥିବାରୁ ରୋଗୀଙ୍କୁ ଅନ୍ୟତ୍ର ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ଜଣେ କ୍ୟାନ୍ସର ରୋଗୀ ଏହି ସମସ୍ୟା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସମସ୍ତ ଖର୍ଚ୍ଚ ବହନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ନେଇ ଏକ ସତ୍ୟପାଠ ଫେବୃଆରି ପହିଲାରେ ଦାଖଲ ହେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାଯୋଗ୍ୟ, କ୍ୟାନସର ରୋଗର ଚିକିତ୍ସା ବ୍ୟୟବହୁଳ ହୋଇଥାଏ । ରାଜ୍ୟର ଏକମାତ୍ର କ୍ୟାନସର ହସ୍ପିଟାଲର ମାନ୍ୟତା ପାଇଥିଲେ ବି କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ପେଟ ସିଟି ସ୍କାନର ବ୍ୟବସ୍ଥା ନାହିଁ । ଘରୋଇ ଡାଇଗ୍ନୋଷ୍ଟିକ ସଂସ୍ଥାଗୁଡିକ ପେଟ୍ ସିଟି ସ୍କାନ ପାଇଁ ମୋଟା ଅଙ୍କର ଟଙ୍କା ଦାବି କରିଥାନ୍ତି । ଯାହା ଦେବାକୁ ଗରୀବ ଶେଣୀ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥାଏ । ଏହିଭଳି ସମସ୍ୟାରେ ପଡି ଜଣେ କ୍ୟାନ୍ସର ରୋଗୀ ଓଡ଼ିଶା ହାଇକୋର୍ଟଙ୍କ ଠାରେ ଆବେଦନ କରିଥିଲେ । ତାହାର ଶୁଣାଣି କରି ଆଜି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।