ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରୁଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀମାନେ । ଏହି କ୍ରମରେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଥିରୁ ଏନ ରଙ୍ଗସ୍ୱାମୀଙ୍କୁ ନିମନ୍ତ୍ରଣ କରିଛନ୍ତି ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି । ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ସୂଚନାଥାଉକି, ଓଡ଼ିଶାର ଦୁଇଟି ସ୍ଥାନ ବିର୍ଷା ମୁଣ୍ଡା ଷ୍ଟାଡିୟମ, ରାଉରକେଲା ଓ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରରେ ଜାନୁଆରୀ ୧୩ ତାରିଖରୁ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।