୨୦୨୫-୨୦୨୯ ପାଇଁ ଓଡ଼ିଶା ଅଲିମ୍ପିକ ସଂଘ (ଓଓଏ)ର ସମସ୍ତ କର୍ମକର୍ତ୍ତାଙ୍କ ପଦବି ନିର୍ଦ୍ବନ୍ଦ୍ବରେ ପୂରଣ ହେବା ଚୂଡ଼ାନ୍ତ ହୋଇଛି। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ବିନା ପ୍ରତିଦ୍ୱନ୍ଦ୍ବିତାରେ ସଂଘର ସଭାପତି ହେବା ସ୍ଥିର ହୋଇଥିବା ବେଳେ ବିଶିଷ୍ଟ କ୍ରୀଡ଼ା ସଂଗଠକ ତଥା ଅଲିମ୍ପିକ୍ ସଂଘର ସଂପାଦକ ରହିଥିବା ଅଭିଜିତ ପାଲ ପୁଣି ଥରେ ନିର୍ଦ୍ବନ୍ଦ୍ବରେ ଏହି ଦାୟୀତ୍ବ ନିର୍ବାହ କରିବାର ସୁଯୋଗ ପାଇଛନ୍ତି। ନୂଆ ସଭାପତି ପଦମଣ୍ଡନ କରିବାକୁ ଯାଉଥିବା ସମୀର ମହାନ୍ତି ଭୁବନେଶ୍ୱର ଜିଲ୍ଲା ଦୌଡ଼କୁଦ ସଂଘର ପ୍ରତିନିଧିତ୍ୱ କରୁଛନ୍ତି।
ସେ ପ୍ରଥମଥର ପାଇଁ ଓଓଏ ସଭାପତି ହେବେ। ଓଓଏର ନିର୍ବାଚନ ପ୍ରକ୍ରିୟା ଗତ ଫେବ୍ରୁଆରି ୨୭ତାରିଖରୁ ଆରମ୍ଭ ହୋଇଥିଲା। ସଂଘର ଅଧିନିୟମ ଅନୁସାରେ ଅଲିମ୍ପିକ ସଂଘର ଗୋଟିଏ ସଭାପତି, ଗୋଟିଏ ସାଧାରଣ ସମ୍ପାଦକ, ୬ଟି ଉପସଭାପତି, ଦୁଇଟି ଯୁଗ୍ମ ସମ୍ପାଦକ, ଗୋଟିଏ କୋଷାଧ୍ୟକ୍ଷ, ୧୧ଟି କାଉନ୍ସିଲ ସଦସ୍ୟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚଳିତ ମାସ ୧୭ ତାରିଖ ପ୍ରାର୍ଥୀପତ୍ର ଦାଖଲ ଏବଂ ୧୯ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚର ଶେଷ ତାରିଖ ରହିଥିଲା। ନିର୍ବାଚନ ଅଧିକାରୀ ରହିଥିବା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଗୟାଧର ପଣ୍ଡା ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରି ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତି।
ସଂଘର ବିଭିନ୍ନ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ସମୀର ମହାନ୍ତି, ଉପସଭାପତି କମଳାକାନ୍ତ ପାଣ୍ଡେ, ବିନୋଦ ଦାଶ, ପ୍ରତାପ ଶତପଥୀ, ନଳିନୀ କୁମାର ଦାସ, ଦୁଲାଲ୍ ଚନ୍ଦ୍ର ପ୍ରଧାନ, ଜନାର୍ଦ୍ଦନ ଦାଶ, ସଂପାଦକ ଅଭିଜିତ ପାଲ, ଯୁଗ୍ମସଂପାଦକ ହରିନାରାୟଣ ପୂଜାରୀ, ଜେ. କାମେଶ୍ୱର ରାଓ, କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
ସେହିପରି ସଂଘର କାଉନସିଲ ସଦସ୍ୟ ଭାବେ ଅଭୟ ମହାପାତ୍ର, ଅଜୟ ବେହେରା, ହରିପ୍ରସାଦ ପଟ୍ଟନାୟକ, କିଶୋର କୁମାର ମିଶ୍ର, ବିଜୟ ବେହେରା, ଧୀରେନ ପଲାଇ, ମନୋଜ କୁମାର ସ, ଅଶୋକ କୁମାର ସାହୁ, ବୀରେନ୍ଦ୍ର କୁମାର ବେହେରା, ପ୍ରସନ୍ନ କୁମାର ରାଉତ, ଡକ୍ଟର ଗୌର ଗୋବିନ୍ଦ ସାମନ୍ତ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୩୦ ତାରିଖରେ ଆନୁଷ୍ଠାନିକ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ପୂର୍ବରୁ ଜଗମୋହନ ପଟ୍ଟନାୟକ ଓଓଏ ସଭାପତି ରହିଥିଲେ। ଚଳିତ ନିର୍ବାଚନରେ ବିନୋଦ ଦାଶ, ହରିନାରାୟଣ ପୂଜାରୀ, ଜେ. କାମେଶ୍ବର ରାଓ, ରବିଶଙ୍କର ପ୍ରତିହାରୀ ନୂଆ ମୁହଁ ବୋଲି ସୂଚନା ମିଳିଛି।