ଓଡ଼ିଶା ପୁଲିସର ମହିଳା ଦଳ ବିଏସ୍‌ଏଫ୍‌କୁ ଏକତରଫା ଭାବେ ୧୧-୦ରେ ପରାସ୍ତ କରିଛି

0

ଭୁବନେଶ୍ୱର-: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତାର ମହିଳା ବର୍ଗରେ ଶନିବାର ଆୟୋଜକ ଓଡ଼ିଶା ପୁଲିସ ମହିଳା ଦଳ ବୃହତ୍ ବିଜୟ ହାସଲ କରିବା ସହ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ପୂର୍ବାହ୍ନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ପୁଲିସର ମହିଳା ଦଳ ବିଏସ୍‌ଏଫ୍‌କୁ ଏକତରଫା ଭାବେ ୧୧-୦ରେ ପରାସ୍ତ କରିଛି। ଓଡ଼ିଶା ପୁରୁଷ ଦଳର ପଦକ ଆଶା ମଉଳିଯିବା ପରେ ମହିଳା ଦଳ ଏବେ ଆୟୋଜକ ଓଡ଼ିଶା ପୁଲିସ୍‌ର ସମ୍ମାନ ରଖିବା ଆଶା ରହିଛି। ସେମିଫାଇନାଲ୍‌ରେ ଓଡ଼ିଶା ଗତ ଥରର ବିଜେତା ସର୍ଭିସେସ୍‌କୁ ଭେଟିବ। ଶନିବାର ଅନ୍ୟ ଏକ ମହିଳା ମ୍ୟାଚ୍‌ରେ ତାମିଲନାଡ଼ୁ ୪-୦ ଗୋଲ୍‌ରେ ମହାରାଷ୍ଟ୍ରକୁ ହରାଇଛି। ଶନିବାର ପୁରୁଷ ବର୍ଗର କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ଗୁଡିକ ଖେଳାଯିବ। ସକାଳେ ପଞ୍ଜାବ-କର୍ଣ୍ଣାଟକ, ବିଏସ୍‌ଏଫ୍‌-ୟୁପି ଏବଂ ଅପରାହ୍ଣ ଓ ସଂଧ୍ୟାରେ ସିଆରପିଏଫ୍‌-ମଣିପୁର, ସିଆଇଏସ୍ଏଫ୍‌-ଆଇଟିବିପି ମୁକାବିଲା ହେବ। ଶନିବାର ପୁରୁଷ ବର୍ଗର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଗୁଡ଼ିକରେ ମଧ୍ୟପ୍ରଦେଶ ରୋମାଞ୍ଚକ ଭାବେ ୩-୨ ଗୋଲ୍‌ରେ ତ୍ରିପୁରାକୁ, ତାମିଲନାଡ଼ୁ ୧୨-୨ରେ ପୁଡୁଚେରୀକୁ, ରାଜସ୍ଥାନ ୫-୦ରେ ଉତ୍ତରାଖଣ୍ଡ ପୁଲିସକୁ ମାତ୍ ଦେଇଥିଲା।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (କାର୍ମିକ) ଯୁଗଳ କିଶୋର ବନୋଥ ପ୍ରମୁଖ ମ୍ୟାଚ୍‌ଗୁଡ଼ିକରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।