ବଡ଼ବିଲ : ବଡ଼ବିଲ ଠାରେ ୩ ଦିନ ଧରି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ସିପିଆଇ । ଦେଶରେ ଦରଦାମ୍ ବୃଦ୍ଧି, ଶ୍ରମିକ ଛଟେଇ, ଅସଂଗଠିତ ଶ୍ରମିକଙ୍କୁ ଶୋଷଣ, ମହିଳା, ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢିଚାଲିଥିଲାବେଳେ, ମୋଦି ସରକାରଙ୍କ ସମସ୍ତ ଜନବିରୋଧୀ ନୀତିକୁ ଆଖିବୁଜା ସମର୍ଥନ ଦେଇ ଓଡ଼ିଶାବାସୀଙ୍କୁ ବିଜେଡି ଧୋକା ଦେଇଛି ବୋଲି ସିପିଆଇ ଅଭିଯୋଗ କରିଛି । ଓଡ଼ିଶାରେ ଚିଟ୍ଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି ଠାରୁ ଆରମ୍ଭକରି ଅନ୍ୟାନ୍ୟ ଯୋଜନାରେ ସରକାରଙ୍କ ଭ୍ରଷ୍ଟାଚାର ବଢ଼ିବଢ଼ି ଚାଲିଛି। ଓଡ଼ିଶାର ଆର୍ଥିକ କେନ୍ଦ୍ର କେନ୍ଦୁଝର ଜିଲ୍ଲାରେ ଛଟେଇ ହୋଇଥିବା ଖଣି ଶ୍ରମିକଙ୍କୁ ନୂତନ କମ୍ପାନୀରେ ଥଇଥାନ ନ କରିବା ହେତୁ ହଜାର ହଜାର ଛଟେଇ ହୋଇ ଜୀବନ ଜୀବିକା ହରାଇ ବସିଛନ୍ତି ।
କେନ୍ଦୁଝର ଜିଲ୍ଲାର ଖଣି ଅର୍ଥରେ ଜିଲ୍ଲା ବାହାରେ ଭିଭିଭୂମି ବାବଦରେ ଅର୍ଥ ବ୍ୟୟ ହେଉଥିବାବେଳେ ବଡ଼ବିଲ୍ ଓ ଚମ୍ପୁଆକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ସିପିଆଇ । ଏସବୁ ସମସ୍ୟା ଗୁଡିକର ସମାଧାନ ଦାବିରେ ଆଗାମୀ ଦିନରେ ଶକ୍ତିଶାଳୀ ଆନ୍ଦୋଳନ ସଂଗଠିତ କରିବାକୁ ପାର୍ଟି ପକ୍ଷରୁ ଦୃଢ଼ ନିଷ୍ପତ୍ତି ନିଆଯାଇଛି । ସେହିପରି ଆଗାମୀ ନିର୍ବାଚନରେ ରାଜ୍ୟର ୨ଟି ସଂସଦୀୟ ଓ ୨୦ରୁ ଉର୍ଦ୍ଧ୍ୱ ବିଧାନସଭା ଆସନରେ ଲଢ଼ିବା ପାଇଁ ସିପିଆଇର ପ୍ରସ୍ତୁତି ଚଳାଇଥିବା ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ କହିଛନ୍ତି ।