ଭୁବନେଶ୍ୱର : ପୁଣି ଡ଼ହଡ଼ହ ଖରାରେ ସିଝିବ ଓଡିଶା। କିଛି ଦିନ ହେଲା ରାଜ୍ୟରେ କାଳବୈଶାଖୀ ଫଳରେ ତାତିରୁ ସାମାନ୍ୟ ମୁକ୍ତି ମିଳିଥିଲା। ପ୍ରାୟ ସପ୍ତାହ ଯାଏଁ ତାତିର ପ୍ରଭାବ ନଥିଲା। ହେଲେ ଏବେ ପୁଣି ଆରମ୍ଭ ହେବ ଗ୍ରୀଷ୍ମ ପ୍ରବାହ। ରାଜ୍ୟରେ ବଢିବ ତାତି। ଆସନ୍ତା ୨୦ ତାରିଖରୁ ତାପାମତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା ସହ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି। କିନ୍ତୁ ଆଗାମୀ ୨୪ ଘଣ୍ଟା ଯାଏ ବିଜୁଳି, ଘଡଘଡ଼ି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମୟୂରଭଞ୍ଜ , କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଜୁଳି, ଘଡଘଡ଼ି ସହ ୫୦-୬୦ କିମି ବେଗରେ ପବନ ବହିବ। ସେହିପରି ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡଘଡ଼ି ସହ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ। ତା ସହ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର , ଅନୁଗୁଳ, ଢେଙ୍କାନାଳ , କନ୍ଧମାଳ, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି, ଘଡଘଡ଼ି ସହ ୪୦-୫୦ କିମି ବେଗରେ ପବନ ବହିପାରେ। ସେହିପରି ୧୯ ତାରିଖରେ ମଧ୍ୟ ବିଜୁଳି, ଘଡଘଡ଼ି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।