ବାଣପୁର / ସୁଧିର କୁମାର ପାତ୍ର: ଆରମ୍ଭ ହୋଇଯାଇଛି ଓଡ଼ିଶା ପ୍ରସିଦ୍ଧ ଐତିହାସିକ ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚୁଦୋଳ ଯାତ୍ରା । କମ୍ପୁଛି ଯାତ୍ରାପଡିଆ । କାହିଁ କେତେ ଦୂରରୁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ଉକ୍ତ ସ୍ଥାନ । ରାସ୍ତାର କଡରେ ବେଲୁନବାଲା ରଙ୍ଗବେରଙ୍ଗର ବେଲୁନ ସାଙ୍ଗକୁ ବିକୁଛି ପେଁକାଳୀ । ସବୁ ପ୍ରକାର ଘର କରଣା ସାଙ୍ଗକୁ ପିଲାଙ୍କ ପାଇଁ ଭଳିକି ଭଳି କଣ୍ଢେଇ, ଚକ୍ର ଦୋଳି, ଯାଦୁ ଖେଳ ଏବଂ ଅନେକ ଖେଳନାର ପସରା ଖୋଲି ଯାଇଛି ଯାତ୍ରା ପଡିଆରେ ।
ଆଉ ମେଲଣ ପଡିଆରେ ଖାଦ୍ୟର ଆସର ମଧ୍ୟ ଜମିଥିବା ଦେଖିବାକୁ ମିଳୁଛି । ଯେମିତିକି ମଥୁରା କେକ୍ ଠାରୁ ଆରମ୍ଭ କରି କଟକର ଠୁଙ୍କାପରି, ଦହିବରା ଆଳୁ ଦମ୍, ଦୋସା ସାମ୍ବର, ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍ ପର୍ଯ୍ୟନ୍ତ । ସେପଟେ ଠାକୁରମାନେ ଆଲୋକ ମାଳା ସହିତ ଫୁଲମାଳରେ ସର୍ଜିତ ଦୋଳବିମାନ, ଗରୁଡ଼, ହନୁମାନ ବାହାନ। ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ପାଇକ ଆଖଡ଼ା ଢୋଲ, ଚାଙ୍ଗୁ, ବାଘ, ଘୋଡ଼ାଇ, କେଳା କେଳୁଣୀ, ରଜାରାଣି, ଷଣ୍ଢ ନୃତ୍ୟସବୁ ପଟୁଆରରେ ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରି ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେବ ଜଗତଜନନୀ ମା’ଭଗବତୀଙ୍କୁ ସାଙ୍ଗରେ ନେଇ ଉପଵେଶନ କରିଛନ୍ତି ।
ଏବଂ ସନ୍ଧ୍ୟା ରେ ଠାକୁର ମାନଙ୍କ ମହାମେଳନ ସରିବା ପରେ ନିଜ ନିଜ ପୀଠ କୁ ଫେରିଛନ୍ତି ଏହିଦୁର୍ଲଭ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ହରିବୋଲ ହୁଳହୁଳିରେ ପୁରି ଉଠିଛି ମେଳଣ ପଡିଆ। ଚଳିତ ବର୍ଷ ଯାତ୍ରାକୁ ଆକର୍ଷିତ କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପଞ୍ଚୁଦୋଳ କମିଟି କୁ ସହଯୋଗର ହାତ ବଢ଼ାଇଛନ୍ତି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ପଡିଆ ଚତୁଃପାର୍ଶ୍ୱରେ ଲାଗିଛି ଏକାଧିକ ଅସ୍ଥାୟୀ ଫ୍ଲଡ ଲାଇଟ। ଏବଂ ଯାତ୍ରା କୁ ଶାନ୍ତି ଶୁଙ୍ଖଲା କରିବା ପାଇଁ ପୋଲିସ ପକ୍ଷରୁ ବିଶେଷ ଵେବସ୍ତା କରାଯାଇଥିଲା |