ବେଆଇନ୍ ଭାବେ ବାଇକ୍ ପରିବହନ ସେବା ଯୋଗାଇ ଦେଉଥିବାରୁ ଭୁବନେଶ୍ୱର ଆରଟିଓ ପକ୍ଷରୁ ଓଲା ଉବେର ଓ ରାପିଡ଼ୋ ବିରୁଦ୍ଧରେ ଏତଲା

0

ଭୁବନେଶ୍ୱର: ଓଲା, ଉବେର ଓ ରାପିଡ଼ୋ ବିରୁଦ୍ଧରେ ଥାନାରେ ଏତଲା । ବେଆଇନ୍ ଭାବେ ବାଇକ୍ ପରିବହନ ସେବା ଯୋଗାଇ ଦେଉଥିବାରୁ ଭୁବନେଶ୍ୱର ଆରଟିଓ ପକ୍ଷରୁ ଏତଲା କରାଯାଇଛି । ଘରୋଇ ବା ବ୍ୟକ୍ତିଗତ ଦୁଇ ଚକିଆ ଗାଡ଼ିକୁ ବ୍ୟବୟାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବାରୁ ଏଭଳି ପଦକ୍ଷେପ ନେଇଛି ଆରଟିଓ-୧ । ଯାତ୍ରୀ ପରିବହନ ପାଇଁ ଆବଶ୍ୟକ ହେଉଥିବା ଲାଇସେନ୍ସ ନଥାଇ, ବ୍ୟବସାୟ କରୁଥିବାରୁ ଆପତି ଉଠାଇଥିଲା ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସଂଘ ।
ଶସ୍ତା ଓ ସୁବିଧାରେ ସହଜରେ ମିଳିଯାଉଥିବା ଅନଲାଇନ୍ ବାଇକ୍ ପରିବହନ ସେବା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଛି ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସଂଘ । ସଂଘର ଅଭିଯୋଗ ହେଉଛି, ଅନଲାଇନ୍ ବାଇକ୍ ସେବା ଯୋଗାଇ ଦେଉଥିବା ଓଲା, ଉବେର, ରାପିଡ଼ୋ ଭଳି ସଂସ୍ଥା ବେଆଇନ୍ ଭାବେ ଗାଡ଼ି ଚଳାଉଛନ୍ତି । ଘରୋଇ ତଥା ବ୍ୟକ୍ତିଗତ ବ୍ୟବହାର ପାଇଁ ଥିବା ବାଇକକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଯାତ୍ରୀ ପରିବହନରେ ନିୟୋଜିତ କରାଯାଉଛି । ଏମିତି କି ଏଥିପାଇଁ ସେମାନଙ୍କ ପାଖରେ ବିଧିବଦ୍ଧ ଲାଇସେନ୍ସ ନଥିବା ଅନଲାଇ୍ନ ଅଟୋ ସଂଘ ଅଭିଯୋଗ କରିଛି ।
ଏପଟେ ଓଲା, ଉବେର ଏବଂ ରାପିଡୋ ନାଁରେ ଥାନାରେ ଏତଲା ଦେଇଛି ଭୁବନେଶ୍ୱର ଆରଟିଓ-୧ । ପୂର୍ବରୁ ଏକାଧିକ ଥର ଆଇଟିଓ ପକ୍ଷରୁ ନୋଟିସ୍ କରାଯାଇଥିଲା । ହେଲେ ଏହି ଅନଲାଇନ୍ ବାଇକ୍ ସେବା ପ୍ରଦାନକାରୀ ସଂସ୍ଥା କୌଣସି ଗୁରୁତ୍ୱ ଦେଇନଥିଲେ । ବ୍ୟକ୍ତିଗତ ବାଇକକୁ ଯାତ୍ରୀ ପରିବହନ ଉଦ୍ଦେଶ୍ୟରେ ଲଗାଇବା ପାଇଁ ହେଲେ ସ୍ୱତନ୍ତ୍ର ଲାଇସେନ୍ସ ଆବଶ୍ୟକ ପଡ଼େ । ନିର୍ଦ୍ଦିଷ୍ଟ ଲାଇସେନ୍ସ କରି ଜଣେ ନିଜ ଗାଡ଼ିକୁ ଓଲା, ଉବର ଏବଂ ରାପିଡୋରେ ବ୍ୟବହାର କରିପାରିବେ । କିନ୍ତୁ ତାହା ନକରି ବ୍ୟକ୍ତିଗତ ବାଇକକୁ ଯାତ୍ରୀ ପରିବହନ ପାଇଁ ବ୍ୟବହାର କରୁଛନ୍ତି ।