ଫ୍ୟାମିଲି କୋର୍ଟରେ ପୁଣି ଓଲିଉଡର ଶୁଆଶାରୀ

0

କଟକ(ରିପୋର୍ଟର୍ସ ଟୁଡେ): ବେଶ କିଛି ଦିନ ହେଲା ଲାଗି ରହିଛି ମତାନ୍ତର । ଫ୍ୟାମିଲି କୋର୍ଟରେ ପ୍ରତିଥର କେବଳ ତାରିଖ ବଦଳୁଥିବା ଦେଖିବାକୁ ମିଳିଛି । କିନ୍ତୁ ଆଜି ଏ କେସର ସମାଧାନ ହୋଇପାରେ ବୋଲି ଆଶା ରଖିଛନ୍ତି ଓଡିଶାବାସୀ । ଆମେ କହୁଛୁ ଓଲିଉଡ ଜଗତର ହିଟ ଯୋଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ କଳହ କଥା । ଆଜି ଏହି କେସର ଶୁଣାଣି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଆଜି ପୁଣି କଟକସ୍ଥିତ ଫ୍ୟାମିଲି କୋର୍ଟରେ ପହଞ୍ଚିବେ ଓଲିଉଡର ଶୁଆ ଆଉ ଶାରୀ । ସାଂସଦ ଅନୁଭବ ମହାନ୍ତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାରୁ ଫ୍ୟାମିଲି ମୋର୍ଟରେ ଥିବା ଏହି କେସର ଭବିଷ୍ୟତ ତାଙ୍କ ଉପରେ ନିର୍ଭର କରୁଛି । ଏହା ପୂର୍ବରୁ ଅନୁଭବ ଏକାଧିକ ଥର କୋର୍ଟରେ ଉପସ୍ଥିତ ହୋଇଥିବା ବେଳେ ସେହି ତୁଳନାରେ ଯଥେଷ୍ଟ କମ ରହିଛି ପତ୍ନୀ ବର୍ଷାଙ୍କ ଉପସ୍ଥିତି । ଯେଉଁଥିପାଇଁ କନ୍ସିଲେସନ ପ୍ରକ୍ରିୟାରେ କୌଣସି ପ୍ରଭାବ ପଡିପାରି ନାହିଁ । ଏହାପରେ ଏହି ମାମଲାର ଯଥାଶୀଘ୍ର ତଥା ନିର୍ଦ୍ଧାରିତ ସମୟ ମଧ୍ୟରେ ସମଧାନ କରିବା ସହ ରାୟ ପ୍ରକାଶ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ତେବେ ଆଜି ଏ ମାମଲାର ଶୁଣାଣି ହେବ ବୋଲି ଆଶା କରାଯାଉଛି । କିନ୍ତୁ ଉଭୟ ଦମ୍ପତ୍ତି ଅଦାଲତରେ ହାଜର ହେବେ ନା ନାହିଁ ସେ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି ।