ନିଶ୍ଚିତକୋଇଲି ଗୁଳିକାଣ୍ଡ ଘଟଣା , ୨ ମୃତ

0

( ତାରାକାନ୍ତ ନାୟକ): କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ଗୁଳିକାଣ୍ଡ ଘଟଣାରେ ଗୁରୁତର ହୋଇଥିବା ଅନ୍ୟଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି ପାଇଛି । ମୃତକ ଜଣକ ହେଲେ ମଧୁବନ ଗାଁର ନିତ୍ୟାନନ୍ଦ ମଲ୍ଲିକ । ଏ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ମୃତକ ସେକ୍‌ ଇମ୍ରାନ୍‌ର ସାଙ୍ଗଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

କଟିକଟା ବଜାରରେ କାର୍ତ୍ତିକେଶ୍ୱର ପୂଜା କମିଟିର ସୁବର୍ଣ୍ଣଜୟନ୍ତୀ ଉତ୍ସବ ଅବସରରେ ମେଲୋଡି ଚାଲିଥିବା ବେଳେ ସେକ୍‌ ଇମ୍ରାନ୍‌ ଓ ଗୋପାଳପୁର ଗାଁର ସେକ୍‌ ବସର୍‌ ଅଲ୍ଲୀଙ୍କ ସହିତ ବଚସା ହୋଇଥିଲା । ଏହି ସମୟରେ ବସର୍‌ ଇମ୍ରାନ୍‌ଙ୍କ ଉପରକୁ ଗୁଳି କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟରୁ ହୋଇଥିଲା । ଗଣ୍ଡଗୋଳ ଶୁଣି ଅନ୍ୟମାନେ ସେଠାକୁ ଆସୁଥିବାବେଳେ ବସର୍‌ ସମସ୍ତଙ୍କୁ ଉପରକୁ ଅତର୍କିତ ଗୁଳି କରିଥିଲା । ଫଳରେ ନିତ୍ୟାନନ୍ଦ ମଲ୍ଲିକ, ଉତ୍ତମ ଦାସ ଓ ରଘୁନାଥ ମଲ୍ଲିକ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ନିତ୍ୟାନନ୍ଦ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକମାନେ ଅଶୁରେଶ୍ୱର ଛକ ନିକଟରେ ରାସ୍ତା ରୋକ କରିଛନ୍ତି । ଫଳରେ କଟକ-ଚାନ୍ଦବାଲି ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି ।
ଅନ୍ୟପକ୍ଷରେ ସେକ୍‌ ଇମ୍ରାନଙ୍କ ଭାଇ ସେକ୍‌ ଜାହିର ବସର୍‌ ଅଲ୍ଲୀ ନାଁରେ ନିଶ୍ଚିତକୋଇଲି ଥାନାରେ ଏତଲା ଦେଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଇମ୍ରାନଙ୍କ ଜଣେ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।