ଦେବ ଦେବ ମହାଦେବ ବିଭିନ୍ନ ସ୍ଥାନରେ ଅନେକ ରୂପରେ ବିରାଜମାନ ଅଛନ୍ତି । ଆଉ ଭୋଳା ଶଙ୍କରଙ୍କ ସମସ୍ତ ରୂପ ହିଁ ନିଜ ନିଜ ଭିତରେ ସ୍ୱତନ୍ତ । କିନ୍ତୁ ମଧ୍ୟପ୍ରଦେଶର ରେୱା ଜିଲ୍ଲାର ମହାମୃତ୍ୟୁଞ୍ଜୟ ମନ୍ଦିରରେ ଏକ ନିଆରା ଶିବ ଲିଙ୍ଗ ବିରାଜମାନ । ଏହି ଶିବଲିଙ୍ଗ ଏକ ନୁହେଁ, ଦୁଇ ନୁହେଁ ୪୦୦ ବର୍ଷ ପୁରୁଣା ।
ଏହି ଶିବ ମନ୍ଦିରରୁ ହିଂସ୍ର ପଶୁମାନେ ମଧ୍ୟ ମଥାନତ କରିବା ପାଇଁ ଆସନ୍ତି । ଏହା ଦୁନିଆର ଏକମାତ୍ର ମନ୍ଦିର, ଯେଉଁଠାରେ ୧୦୦୧ ଛିଦ୍ର ଥିବା ଏକ ଶିବଲିଙ୍ଗ ଅଛି , ଯାହା ଅଲୌକିକ ଶକ୍ତି ପ୍ରଦାନ କରେ । ଏହି ମନ୍ଦିରର ଅନେକ ମହିମା ରହିଛି । ମହାମୃତ୍ୟୁଞ୍ଜୟଙ୍କ ଅନୁଗ୍ରହରେ ଅକାଳ ମୃତ୍ୟୁକୁ ଏଡାଇ ଦିଏ ଭକ୍ତ । ଏଠାରେ ଭୋଳାବାବାଙ୍କୁ ଦର୍ଶନ କଲେ ମୃତ୍ୟୁର ଭୟ ରୁହେ ନାହିଁ , ଅଧାରେ ଅଟକିଥିବା କାମ ସହଜରେ ହୋଇଯାଏ । ଏହି ମନ୍ଦିରକୁ ନେଇ ଏଭଳି ଅନେକ ବିଶ୍ୱାସ ରହିଛି ।
ପୁରୁଣା ରୋଗ ଭଲ ପାଇଁ ହେଉ କିମ୍ବା ମୃତ୍ୟୁ ଭୟ ଥିଲେ ଏଠାକୁ ଆସନ୍ତି ଶ୍ରଦ୍ଧାଳୁ । ମନ୍ଦିର ସ୍ଥାପନା ସମ୍ପର୍କରେ ଅନେକ କିମ୍ବଦନ୍ତୀ ରହିଛି । କିମ୍ବଦନ୍ତୀ ଅନୁସାରେ ବାନ୍ଧବଗଡ଼ର ରାଜା ଥରେ ଶିକାର କରିବା ପାଇଁ ମନ୍ଦିର ପାଖ ଜଙ୍ଗଲକୁ ଆସିଥିଲେ । ସେ ଦେଖିଲେ ଗୋଟିଏ ବାଘ ଏକ ହରିଣକୁ ଗୋଡ଼ାଇ ଗୋଡ଼ାଇ ମନ୍ଦିର ପାଖକୁ ଚାଲିଯାଇଛି ।
ହେଲେ ମନ୍ଦିର ପାଖକୁ ଆସିବା ମାତ୍ରେ ବାଘ ଶିକାର ନକରି ସେମିତି ଫେରିଗଲା । ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଖନନ କରିବା ପରେ ସେଠାରେ ମହାମୃତ୍ୟୁଞ୍ଜୟ ଭଗବାନଙ୍କର ଏକ ଧଳା ଶିବଲିଙ୍ଗ ବାହାରିଥିଲା । ଆଉ ସେହି ଠାରେ ରାଜା ଏକ ମନ୍ଦିର ତୋଳାଇଥିଲେ, ଯେଉଁଠାରେ ଆଜି ବି ଭକ୍ତଙ୍କ ଭିଡ଼ ଜମୁଛି ।